କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧ ବାଚସ୍ପତିଙ୍କ ଦ୍ଵାରା ଲୋକାର୍ପିତ

ଭୁବନେଶ୍ୱର,୧୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ଵାମୀ ଶିବାନନ୍ଦ ଏବଂ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଚରଣାଶ୍ରିତ ବରିଷ୍ଠ କବି ଶରତ ଚନ୍ଦ୍ର ପରିଡ଼ାଙ୍କ ରଚିତ ଓଡ଼ିଆ ସାହିତ୍ୟର ମହାକାବ୍ୟ ନରକାସୁର ବଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିବେଦିତ ହୋଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ବାଚସ୍ପତିଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ତିନି ଶହ ପୃଷ୍ଠାର ଉକ୍ତ ମହାକାବ୍ୟକୁ ଲୋକାର୍ପଣ କରି ଗ୍ରନ୍ଥ ଟି  ଓଡ଼ିଆ ବାଣୀଭଣ୍ଡାରର ସମୃଦ୍ଧ ସମ୍ପତ୍ତି ହୋଇ ରହି ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଦାଶରଥି ଶତପଥୀ ମୁଖ୍ୟ ବକ୍ତା ଏବଂ ବହୁଭାଷୀ କବି ସଞ୍ଜୟ କୁମାର ରଥ ସମୀକ୍ଷକ ଭାବେ ଯୋଗଦେଇ ମହାକାବ୍ୟର ବିଶେଷତା ଉପରେ ଆଲୋକପାତ କରିଥିଲେ । ଇତ୍ୟବସରରେ ବାଚସ୍ପତି ଗ୍ରନ୍ଥ ରଚୟିତା କବି ଶରତ କୁମାର ପରିଡ଼ାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜଶ୍ରୀର ସଭାପତି ତଥା ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ , ସମାଜସେବୀ ସଞ୍ଜୟ ମିଟୁ ଜେନା, ଅକ୍ଷୟ କୁମାର ତରାଇ ପ୍ରମୂଖ ଯୋଗ ଦେଇ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *