ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାର ଉଦଘାଟିତ

ଭୁବନେଶ୍ୱର,୦୪/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି ।ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପାଠାଗାରରେ ଥିବା ସମ୍ବିଧାନ ପୁସ୍ତକର କିଛି ପୃଷ୍ଠା ପଢିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ମନ୍ତବ୍ୟ ଲେଖିବା ସହ ଦସ୍ତଖତ କରିଥିଲେ । ରାଜସ୍ୱ ବିଭାଗରେ ଏହି ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଉଭୟ ବ୍ୟକ୍ତିଗତ ଏବଂ ପ୍ରଶାସନିକ ସ୍ତରରେ ଖୁବ୍ ଉପଯୋଗୀ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ପାଠାଗାରରେ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ୍ ପାଠାଗାର ସୁବିଧା ଉପଲବ୍ଧ ହେବା ସହ ଓଡିଆ ଭର୍ଚୁଆଲ୍ ଏକାଡେମୀ ମାଧ୍ୟମରେ ବିଭିନ୍ନ ଅନନ୍ୟ ଓଡ଼ିଆ ସାହିତ୍ୟ ପୁସ୍ତକ ଉପଲବ୍ଧ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଆବଶ୍ୟକୀୟ ସୂଚନା, ପୁସ୍ତକ ତଥା ପ୍ରଶାସନିକ ବିଷୟ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର୍ ବିଭାଗୀୟ ଅଧିକାରୀମାନଙ୍କ ପାଇଁ ଉପଲବ୍ଧ ହେବା ସହ ପ୍ରଶାସନିକ କାର୍ଯ୍ୟରେ ସହାୟକ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଅଧିକାରୀମାନେ ସ୍ୱଲିଖିତ ପୁସ୍ତକ ସହ ଅନ୍ୟାନ୍ୟ ଉପାଦେୟ ପୁସ୍ତକ ମଧ୍ୟ ପାଠାଗାରକୁ ପ୍ରଦାନ କରିପାରିବେ ବୋଲି ରାଜସ୍ୱ ସଚିବ ଆଗ୍ରହ ପ୍ରକାଶ କରିଛନ୍ତି । ପାଠାଗାରରେ ଶୃଙ୍ଖଳା ବଜାୟ ରଖିବା ସହ ଏହାର ସର୍ବୋତ୍ତମ ବ୍ୟବହାର ନିମନ୍ତେ ପାଠାଗାରରେ ମୋବାଇଲ୍ ଫୋନ୍ ର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ନୂଆ ପାଠାଗାର ଉଦଘାଟନ ଅବସରରେ ସ୍ଵତନ୍ତ୍ର ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

-0-

ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *