ଜଗତସିଂହପୁର,୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ୨୦୨୬ ମାର୍ଚ୍ଚ ୨୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡି.ଇ.ଆଇ.ସି ରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଅଧିନରେ ପୂର୍ବରୁ ଚିହ୍ନଟ ବିଶେଷ ଆବଶ୍ୟକତା ସମ୍ପର୍ଣ୍ଣ ଶିଶୁ (ଉଡଝଘ) ମାନଙ୍କ ନିମନ୍ତେ ଏକ ଦିନିଆ ଆକଳନ ଓ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଶିବିରର ପ୍ରମୁଖ ଉଦ୍ଦେଶ୍ୟ ଥିଲା ବିଶେଷ ଆବଶ୍ୟକତା ସମ୍ପର୍ଣ୍ଣ ଶିଶୁମାନଙ୍କୁ କୃତ୍ରିମ ଅଙ୍ଗ ଏବଂ ଅନ୍ୟାନ୍ୟ ସହାୟକ ଉପକରଣ ପ୍ରଦାନ ପାଇଁ ଅକଳନ କରିବା ଏବଂ ଏବଂ ଆବଶ୍ୟକ ସ୍ଥଳେ ସଙ୍ଗେ ସଙ୍ଗେ ପ୍ରଦାନ କରିବା ଯାହାକି ସେମାନଙ୍କୁ ଚିକିତ୍ସା ଏବଂ ଦୈନନ୍ଦିନ ଜୀବନ ଶୈଳୀରେ ସହାୟକ ହୋଇପାରିବ । ମୋଟ ୬୦ ଜଣ ଶିଶୁ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ ଓ ଖୋର୍ଦ୍ଧା ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଇଜଉ) ର ଏକ ବିଶେଷଜ୍ଞ ଦଳ ଦ୍ଵାରା ସମସ୍ତ ଶିଶୁଙ୍କର ସୂଚାରୁ ରୂପେ ଆକଳନ କରାଯାଇ ଥିଲା । ପ୍ରତ୍ୟେକ ଶିଶୁଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ମାପ ଗ୍ରହଣ କରାଯାଇ ଥିଲା ଏବଂ ସେଥି ମଧ୍ୟରୁ ୨୪ ଜଣଙ୍କୁ ତତକ୍ଷଣାତ ସହାୟକ ଉପକରଣ ପ୍ରଦାନ କରାଯାଇ ଥିଲା । ଅବଶିଷ୍ଟ ଶିଶୁ ମାନଙ୍କୁ ଆବଶ୍ୟକ ଉପକରଣ ପ୍ରସ୍ତୁତି ପରେ ଶୀଘ୍ର ପ୍ରଦାନ କରାଯିବ ।
ଏହି ଶିବିରରେ ବିଭିନ୍ନ ପ୍ରମୁଖ ଅଧିକାରୀଙ୍କ ଗାରିମାମୟ ଉପସ୍ଥିତି ଦୃଷ୍ଟିଗୋଚର ହୋଇଥିଲା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ ରାଜେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡଃ ପ୍ରମୋଦ କୁମାର ବାରିକ, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ସରୋଜ କୁମାର ଜେନା, ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଡି.ଏସ୍.ଏସ୍.ଓ ଶ୍ରୀମତୀ ମମତା ନାୟକଙ୍କ ସହିତ, ଅତିରିକ୍ତ ଆର.ବି.ଏସ୍. କେ ଓ ଆର.କେ.ଏସ୍. କେ ପରିଚାଳିକା, ଡି.ଇ.ଆଇ.ସି କର୍ମ କର୍ତ୍ତା ବୃନ୍ଦ ଏବଂ ବ୍ଲକ ସ୍ତରୀୟ ଏମ୍.ଏଚ୍. ଟି ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ସକ୍ରିୟ ସହଭାଗିତା ଓ ପର୍ୟ୍ୟବେକ୍ଷଣ ରେ କାର୍ୟ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା ।
