ବରଗଡ଼ (ମଥୁରା),୩୦/୧୨/୨୦୨୫ (ଓଡ଼ିଶା ସମାଚାର /ପ୍ରଭୁଦତ ମହାନ୍ତି)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଦୂର କେନ୍ଦୁଝର କାର୍ୟ୍ୟକ୍ରମ ସାରି, ହାତୀରେ ବସି ମଥୁରା ଭ୍ରମଣ ସହ ଦ୍ୱିତୀୟ ରଙ୍ଗମଞ୍ଚ “ରଙ୍ଗ ମହଲ” ରେ ପହଞ୍ଚିଛନ୍ତି । ରଙ୍ଗ ମହଲରେ କଂସ ମହାରାଜ ତାଙ୍କୁ ଭେଟିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସ୍ବାଗତ ଜଣାଇଥିଲେ। ବିଶ୍ୱ ପ୍ରସିଦ୍ଧ ୭୮ ତମ ଧନୁଯାତ୍ରା ର ଆୟୋଜନ ପାଇଁ ସମସ୍ତ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ଯାତ୍ରା ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ ।

ଏକ କୋଟି ଟଙ୍କାରୁ ଚଳିତ ବର୍ଷ ଅଧିକ ଭାବେ ଦେଢ଼ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରାଯାଇ ଧନୁଯାତ୍ରା ର ମାନ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଥିଲେ । ଆଗାମୀ ବର୍ଷରେ ଧନୁଯାତ୍ରା କୁ ଅଧିକ ସୁନ୍ଦର କରାଯିବାକୁ ପ୍ରସ୍ତାବ ଦେଇଥିଲେ ।
ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବିଧାୟକ ସନତ ଗଡ଼ତିଆ, ବିଧାୟକ ଇରାସିସ ଆଚାର୍ୟ୍ୟ, ନଗର ସଭାପତି ଅକ୍ରୁର ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲପାଇଁ ଆଗାମୀ ଦିନରେ ବ୍ୟାପକ ଉନ୍ନୟନ କାର୍ୟ୍ୟର ଯୋଜନା ପ୍ରସ୍ତୁତ ହୋଇଛି ବୋଲି କହିଥିଲେ । ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ବରଗଡ଼ ସହରକୁ ଅଧିକ ଆକର୍ଷଣୀୟ ସହରରେ ପରିଣତ କରାଯିବ ବୋଲି କହିଥିଲେ ।
