ଭୁବନେଶ୍ୱର,୨୨/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘ ଖୋର୍ଦ୍ଧାଜିଲା ଶାଖା ପକ୍ଷରୁ ଜିଲାର ୧୦ଗୋଟି ବ୍ଲକ ଅଧିନରେ ଥିବା ମୋଟ ୧୯୦ ଗୋଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ୧୭୫ଜଣ ପିଅନ କର୍ମଚାରୀମାନଙ୍କୁ ନେଇ ଜିଲା ସଂଘର ସଭାପତି ରାକେଶ କୁମାର ନାୟକଙ୍କ ସଭାପତିତ୍ୱରେ ପୁରୁଣା ଭୁବନେଶ୍ୱରସ୍ଥିତ ଡାଲମିଆ ଧର୍ମଶାଳାରେ ପିଅନ କର୍ମଚାରୀମାନଙ୍କ ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟତଃ କର୍ମଚାରୀ ମାନଙ୍କର ପ୍ରମୁଖ ମୌଳିକ ଦାବିଗୁଡ଼ିକ ପୂରଣ କରିବା ଉଦ୍ଧେଶ୍ୟରେ ସମସ୍ତ ପିଅନ କର୍ମଚାରୀ ମାନଙ୍କ ସମ୍ମିଳନୀ ତଥା ଏକତା ମେଳି ହୋଇଥିଲେ ।
ଏହି ବୈଠକରେ ଶିବକୃଷ୍ଣ ବେହେରା ମୁଖ୍ୟ ଅତିଥି ଏବଂ ଓଡ଼ିଶା ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ରାଉଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ସନାତନ ପ୍ରଧାନ, ସଂଯୋଜକ ଲକ୍ଷ୍ମୀ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରକାଶଥାଉକି, ଦିନକୁ ଦିନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟଭାର ବୃଦ୍ଧି ପାଇଛି । ଏଣୁ ନିତାନ୍ତ ଜଣେ ପିଅନ କର୍ମଚାରୀର ଆବ୍ୟକତା ରହିଛି ।
ଓଡ଼ିଶାର ୬୭୯୪ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ପିଅନମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ନିୟମିତ ଦରମା ପ୍ରଦାନ, ପ୍ରତ୍ୟେକ ଗ୍ରାମ ପଂଚାୟତରେ ଜଣେ ଲେଖାଏଁ ନୂତନ ପିଅନ ପଦବୀ ସୃଷ୍ଟି କରିବା, ଶ୍ରମ ଓ ନିୟୋଜନ ବିଭାଗର ନିର୍ଦ୍ଧାରଣ କ୍ରମେ ଦୈନିକ ୫୫୦ ଟଙ୍କା ହାରରେ ମାସିକ ବେତନ ଦେବା, ପଂଚାୟତିରାଜ ବିଭାଗରେ ସ୍ୱତନ୍ତ୍ର ବଜେଟ ରଖିବା, ପେନସନ, ପଦୋନ୍ନତି, ଚାକିରି କ୍ଷେତ୍ରରେ ସୁରକ୍ଷା, ପଂଚାୟତିରାଜ ବିଧି ବ୍ୟବସ୍ଥାରେ ଏହି କର୍ମଚାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା, ବୀମାଭୁକ୍ତ କରିବା ଭଳି ୧୦ଗୋଟି ଦାବି ରାଜ୍ୟ ସରକାରଙ୍କ ନିକଟରେ କର୍ମଚାରୀ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି ଏବଂ ଗ୍ରାମ ପଂଚାୟତ ପିଅନ କର୍ମଚାରୀମାନଙ୍କର ଦାବି ସମସ୍ୟା ପୂରଣ ଦିଗରେ ମାନ୍ୟବର ବିଧାୟକ ଓ ବିଧାୟିକାମାନେ ବିଧାନସଭାରେ ଦାବି ଉପସ୍ଥାପନ କରିବା ନିମନ୍ତେ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି ।
ଯଦି ରାଜ୍ୟ ସରକାର ଦାବି ଗୁଡ଼ିକ ପୂରଣ ନ କରନ୍ତି, ଅନ୍ୟଥା ବାଧ୍ୟ ହୋଇ ଆଗାମୀ ଶୀତକାଳୀନ ଅଧିବେଶନ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଉପସ୍ଥିତ ସମସ୍ତ ପିଅନ କର୍ମଚାରୀମାନେ ବୈଠକରେ ଚେତାବନୀ ଦେଇଛନ୍ତି । ଖୋର୍ଦ୍ଧା ଜିଲାର ୧୦ ଗୋଟି ବ୍ଲକସ୍ତରୀୟ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସମେତ ଶତାଧିକ ଗ୍ରାମ ପଂଚାୟତ ପିଅନ କର୍ମଚାରୀମାନେ ସଭାରେ ଯୋଗଦାନ କରିଥିଲେ । ଶେଷରେ ଜିଲା ସମ୍ପାଦକ ନାରାୟଣ ବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।
