ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ଯାଜପୁର, ୧୯/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ୭୨ ତମ ଅଖିଳ ଭାରତ ସମବାୟ ସପ୍ତାହ  ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ କହିଲେ ସମବାୟ ହେଉଛି ଗ୍ରାମ ଅର୍ଥନୀତିର ମୂଳ ଭିତ୍ତି, ଯାହା ମାଧ୍ୟମରେ ଚାଷୀ, ମହିଳା ଗୋଷ୍ଠୀ, ଉଦ୍ୟୋଗୀ ଏବଂ ଛୋଟ ଉତ୍ପାଦକମାନେ ସୁଦୃଢ଼ ଭାବେ ଆଗେଇଯାଇପାରନ୍ତି। ସେ କହିଥିଲେ ଯେ ଜିଲ୍ଲା ପ୍ରଶାସନ ସହକାରୀ ସଂଘମାନଙ୍କ ଶକ୍ତିକରଣ ପାଇଁ ନିରନ୍ତର ଭାବରେ ସହଯୋଗ କରି ଆସୁଛି। ଅର୍ଥନୀତି ସୁଦୃଢୀକରଣ ରେ ସମବାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ ଓ ସଶକ୍ତ କରିବାରେ ସମବାୟ ସମିତିର ଭୂମିକା ସର୍ବଦା ଗୁରୁତ୍ୱ ବହନ କରି ଆସିଛି।କୃଷକ ମାନଙ୍କୁ ବିବିଧ ସରକାରୀ ଯୋଜନା ରେ ସାମିଲ କରିବା, ସେମାନଙ୍କ ଆବଶ୍ୟକତା ଅନୁସାରେ କମ ସୁଧରେ ଋଣ ପ୍ରଦାନ, ସେମାନଙ୍କ ଉତ୍ପାଦ ର ସଠିକ ବିକ୍ରି ବ୍ୟବସ୍ଥା ଉପରେ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଉକ୍ତ ଦିବସରେ ମୁଖ୍ୟ ବକ୍ତା ଭାବେ  ଯୋଗଦେଇ ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋପରେଟିଭ ମ୍ୟାନେଜମେଣ୍ଟ ର ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ଦାସ କହିଲେ ସମବାୟ ଆନ୍ଦୋଳନ ଆମ ଦେଶରେ କେବଳ ଅର୍ଥନୈତିକ ଶକ୍ତିକୁ ବଳଶାଳୀ କରୁନି, ବରଂ ଗ୍ରାମୀଣ ଅର୍ଥନୀତିକୁ ସଚଳ କରିବାରେ, ଛୋଟ ଚାଷୀ, ଶ୍ରମିକ ଓ ମହିଳାମାନଙ୍କ ଆତ୍ମନିର୍ଭରତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସମବାୟୀ ସଂଗଠନମାନେ ଯେପରି ସମୟ ସାପେକ୍ଷ ହୋଇ ପରିବର୍ତ୍ତନକୁ ସ୍ଵୀକାର କରୁଛନ୍ତି, ପ୍ରଶାସନୀୟ କାର୍ଯ୍ୟରେ ପାରଦର୍ଶିତା ଆଣୁଛନ୍ତି, ସଦସ୍ୟମାନଙ୍କ ଭଲପାଇଁ ଯାହା କରୁଛନ୍ତି—ସେସବୁ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ।  ଆଜିର ଏହି ସମୟରେ ସମବାୟ ହେଉଛି ଜନସାଧାରଣଙ୍କ ଅର୍ଥନୈତିକ ମୁକ୍ତି ଓ ସମାଜିକ ନ୍ୟାୟର ଏକ ପ୍ରମୁଖ  ଅସ୍ତ୍ର। ସମବାୟ ର ମୂଳ ଅର୍ଥ ହେଉଛି ସହଯୋଗ। ଯଦି ସମବାୟରେ ପାରଦର୍ଶିତା, ଦୃଢ଼ ପ୍ରଶାସନ ଓ ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ବଢ଼ିବ, ତେବେ ଏହା ଆମ ଜିଲ୍ଲାର ଅର୍ଥନୈତିକ ସମୃଦ୍ଧିର ଭିତିସ୍ତମ୍ଭ ହୋଇପାରିବ।

ଆଜିର ଏହି ଦିବସରେ ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ସମୂହ, ଅମୂଲ୍ୟ କୁମାର ସେଠୀ ସଭାପତିତ୍ବ କରିଥିଲେ। ଉକ୍ତ ଦିବସରେ ସମ୍ମାନିତ ଅତିଥି ଭାବେ କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ୍ ର ପରିଚାଳକ ଶ୍ରୀ ଦୁଶାସନ ସାହୁ, , ଶ୍ରୀ କେଶବ ଚନ୍ଦ୍ର ସେଠୀ, ଶ୍ରୀ ଶରତ ଚନ୍ଦ୍ର ସାହୁ ଏବଂ ଅବସର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସମବାୟ ସମିତି ର ପରିଚାଳକ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ବକ୍ତବ୍ୟ ରଖିଥିଲେ। ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପ୍ରଥମଖଣ୍ଡି ପ୍ୟାକ୍ସ, ପାଣିକୋଇଲି ପ୍ୟାକ୍ସ ଓ ନାଥସାହି ପ୍ୟାକ୍ସ ର ସଭାପତି ସମ୍ପାଦକ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ସମ୍ପାଦକ, ଏଆରସିଏସ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *