ଗରଦପୁର,୨୦/୦୨/୨୦୨୫(ଓଡ଼ିଶା ସମାଚାର)- -ଗରଦପୁର ବ୍ଲକ୍ ମୁଖ୍ୟାଳୟ ର ଅନତି ଦୂରରେ ରାଜ୍ୟ ସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଗତକାଲି ବୁଧବାର ସନ୍ଧ୍ୟା ବେଳେ ଅଦିନିଆ ବର୍ଷା ଛାଡ଼ିବା ପରେ ପରେ ସିନେ ତାରକାଙ୍କ ଗହଣରେ ଏହି ଉତ୍ସବର ଉଦଘାଟନ ପର୍ବ ଅନୁଷ୍ଠିତ ହୋଇଛି ।
ଉଦଘାଟକ ଭାବରେ ସିନେ ତାରକା ଅର୍ଚିତା ଓ ସବ୍ୟସାଚୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭ ମୁହୁରତ କରିଥିଲେ ।
ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବିଜେପି ନେତା ତେଜେଶ୍ୱର ପରିଡ଼ା ଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ସିନେ ତାରକାମାନେ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥି ସହିତ ଏହି ଉତ୍ସବ ମାଧ୍ୟମରେ ଚିତ୍ରୋପôଳା ମାହାତ୍ମ୍ୟ ସହିତ ଅଂଚଳର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କୁ ଉଦ୍ଜୀବିତ ରଖିବାରେ ଏଭଳି ମହୋତ୍ସବ ଗୁରୁତ୍ୱ ବହନ କରିଥାଏ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

ଓଡ଼ିଶା ର କଳା ସଂସ୍କୃତିକୁ ପ୍ରାଣବନ୍ତ କରି ଲୋକଙ୍କ ପାଖରେ ପହଂଚାଇବା ସହିତ ଦେଶ ବିଦେଶରେ ପ୍ରଚାର ପ୍ରସାର ପାଇଁ ମହୋତ୍ସବ ଦିଗବାରେଣି ସାଜିଥାଏ ବୋଲି ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
୪ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବ ର ୧ମ ଦିନରେ ବର୍ଷା ସତ୍ୱେ ସିନେ ତାରକା ମାନଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା । ସେହିପରି ଉତ୍ସବର ୧ମ ଦିନରେ ସମ୍ବଲପୁରୀ ଲୋକନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଏହି ଅବସରରେ ମହୋତ୍ସବ କମିଟି ତରଫରୁ ଉତ୍ସାହୀ ଯୁବକ ମାନଙ୍କୁ ନେଇ ଭୁବନେଶ୍ୱରର କଳିଙ୍ଗ ହସପିଟାଲ ର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହା ପୂର୍ବରୁ ସକାଳେ ସ୍ୱଛ ଭାରତ କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟ କରାଯାଇଥିଲା ।
ମହୋତ୍ସବ ପରିପ୍ରେକ୍ଷିରେ ଆକର୍ଷଣିୟ ସାଜସଜା ଓ ତୋରଣମାନେ କରାଯାଇଥିବାବେଳେ ସଂଖ୍ୟାଧିକ ଉଠା ଦୋକାନ ମାନ ଲାଗିଛି । ପାଟକୁରା ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବାର ସୁବ୍ୟବସ୍ଥା କରାଯାଇଥିବାବେଳେ ଓରମାସ ତରଫରୁ ମହିଳା ଷ୍ଟଲ ଖୋଲିଛି ।
