ବିଶ୍ବ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ୱର,୧୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳିତ ହେଉଥିବା ବିଶ୍ବ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟଙ୍କ ମୂଳଭୂତ ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ୟ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ୟ୍ୟକାରିତା ପୂର୍ବରୁ ସମଗ୍ର ଭାରତ ବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ । ଆଜି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ନ୍ୟାୟାଧିଶ ଶ୍ରୀ ଚକ୍ରଧାରୀ ଶରଣ ସିଁ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ । ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର ଦାୟିତ୍ୱ। ମାନବ ଅଧିକାର ଦିବସକୁ ଗୋଟିଏ ଦିନର କାର୍ୟ୍ୟକ୍ରମରେ ସୀମିତ ନରଖି ଏହାକୁ ପରିବ୍ୟାପ୍ତ କରିବା ଦରକାର । ଏକ ନିୟମିତ ସଚେତନତା କାର୍ୟ୍ୟକ୍ରମ ସହିତ ପ୍ରତେକ ନାଗରିକ ଯେପରି ଆୟୋଗର କାର୍ୟ୍ୟଧାରାକୁ ହୃଦୟଙ୍ଗମ କରିବେ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏଥିପାଇଁ ଜଷ୍ଟିସ ଶ୍ରୀ ଶରଣ ସିଂ ତାଙ୍କ ସହିତ ମିଳିତ ଭାବେ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଥିଲେ ।
ସମ୍ମାନିତ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଆଇନ, ପୁର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ବିଶ୍ବ ମାନବ ଅଧିକାର ଦିବସ ଯେଉ ଉଦ୍ଦେଶ୍ୟରେ ପାଳନ କରା ଯାଉଛି ଆମ ସମ୍ବିଧାନ ଆମମାନଙ୍କୁ ସେହି ଅଧିକାର ପ୍ରଦାନ କରିଛି । ଆଜିର ଦିବସର ତାତ୍ପର୍ୟ୍ୟ ହେଲା ସାଧାରଣ ମଣିଷକୁ ତାର ଅଧିକାର ସାଙ୍ଗରେ ପରିଚିତ କରାଇବା । ଆଜିର ଦିବସ ବାର୍ତ୍ତା ଆମକୁ ଏହା ବୁଝାଏ ଯେ, ସମସ୍ତ ମାନବ ସମାନ ଅଧିକାର ସହ ବଞ୍ଚିବା ଜରୁରୀ । କୌଣସି ଭାଷା, ଧର୍ମ, ଜାତି, ଲିଙ୍ଗ କିମ୍ବା ରଙ୍ଗ ଦ୍ୱାରା ମାନବ ଅଧିକାର ଉଲଂଘନ ନ ହେଉ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ।ଲୋକମାନେ ଧୀରେ ଧୀରେ ହୃଦୟଙ୍ଗମ କରୁଛନ୍ତି ଯେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଏକ ବିଷୟ ଯାହା ମାନବ ଅଧିକାର ଆୟୋଗ ଦ୍ୱାରା ସମାଧାନ କରାଯାଇ ପାରିବ।
ମାନ୍ୟବର ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ, ଅଧ୍ୟକ୍ଷ, ଓଡ଼ିଶା ମାନବ ଅଧିକାର ଆୟୋଗ ତାଙ୍କ ବକ୍ତବ୍ୟରେ ବସୁଧୈବ କୁଟୁମ୍ବକମ୍ ନୀତି ପାଇଁ ମାନବ ଅଧିକାର ଜରରୀ ବୋଲି କହିବା ସହ ସ୍ବାଧୀନ ଭାବେ ବଞ୍ଚିବା ଆମ ଜନ୍ମଗତ ଅଧିକାର ବୋଲି କହିଥିଲେ । ଆମେ ମାନବ ଅଧିକାର ରକ୍ଷା ପାଇଁ ସବୁ ଲୋକଙ୍କ ସହ ଏକତାବଦ୍ଧ ହୋଇ କାମ କରିବାର ପ୍ରତିଜ୍ଞା କରିବା ଉଚିତ।
ଆୟୋଗର ହସ୍ତକ୍ଷେପ ଦ୍ବାରା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଦୃଷ୍ଟାନ୍ତମୂଳକ ଉନ୍ନତି ଘଟିଛି ଯେଉଁଠାରେ ମାନବ ଅଧିକାରର ସୁରକ୍ଷା ତଥା ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀର ମୌଳିକ ସ୍ୱାଧୀନତାକୁ ସମାଧାନ କରାଯାଇ ପାରୁଛି । ମାନବ ଅଧିକାର ଆୟୋଗ ଶାସନକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ ।
ସମ୍ମାନିତ ଅତିଥିଭାବେ ଓଡ଼ିଶା ମାନବ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ମାନବ ଅଧିକାର ପାଇଁ ନିର୍ଭୟ ହୋଇ ସ୍ବର ଉଠାନ୍ତୁ ଏବଂ ସମାଜକୁ ନ୍ୟାୟବନ୍ତ କରାଇବା ସହିତ ଲୋକ ମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ହାସଲ କରିବାକୁ କାୟ ମନୋବାକ୍ୟରେ ସମସ୍ତ ମାନବାଧିକାର କର୍ମୀ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶା ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ତଥା ଭାରପ୍ରାପ୍ତ ସଚିବ ଶ୍ରୀମତି ସ୍ବିଟି ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜିର ସମାବେଶର ସମସ୍ତ କାର୍ୟ୍ୟ ସମ୍ପାଦିତ ହୋଇଥିଲା ।
ଡା. ନୀଳମାଧବ ରଥ ଓ ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ ଙ୍କୁ ଏହି ଅବସରରେ ମାନବ ଜାତି ପ୍ରତି ସେମାନଙ୍କ ମୂଲ୍ୟବାନ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା
ଆଜିର ଏହି କାର୍ୟ୍ୟକ୍ରମରେ ମାନ୍ୟବର ଓଡ଼ିଶା ହାଇକୋର୍ଟର ବର୍ତ୍ତମାନ ଓ ପୂର୍ବତନ ବିଚାରପତି, ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଓଡିଶା ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ନ୍ୟାୟିକ ଅଧିକାରୀ, ଆୟୋଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ସାମ୍ବାଦିକ, ସମସ୍ତ ମାନବାଧିକାର କର୍ମୀ ଯୋଗ ଦେଇଥିଲେ ।
-୦-

ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *