କେନ୍ଦ୍ରାପଡ଼ା,୨/୮/୨୦୨୪(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୁର୍ନୀତି ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଗତ ୭.୭. ୨୦୨୩ରିଖରେ କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ଦାଶଙ୍କ ନାମରେ ୩ଲକ୍ଷ ୫୦ହଜାର ଟଙ୍କାର କାର୍ଯ୍ୟାଦ୍ଧେଶ କେନ୍ଦ୍ରାପଡା ବିଡିଓ ପ୍ରଦାନ କରିଛନ୍ତି । କିନ୍ତୁ ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି କରାଯିବା ନାମରେ କେବଳ ପୁରୁଣା ଶ୍ରେଣୀଗୃହର ବାହାର ପାଶ୍ୱର୍ କାନ୍ଥର ପ୍ଲାଷ୍ଟରକୁ ଛଡାଇ ନିମ୍ନମାନର ପ୍ଲାଷ୍ଟର କରାଯିବା ସହ ନିମ୍ନମାନର ରଙ୍ଗ ବୋଳି ଦିଆଯାଇଛି । ସଂପୃକ୍ତ କନିଷ୍ଠଯନ୍ତ୍ରୀ ବିଲରେ ଦର୍ଶାଇଥିବା କବାଟ ମରାମତି, ଆସବାବପତ୍ର ସ୍ଥାନାନ୍ତର, ବିଦ୍ୟାଳୟର ଫାଉଣ୍ଡେସନରେ ବାଲି ଭର୍ତି କରିବା, କବାଟ ଝରକା ଭାଙ୍ଗି କାଢି ଦେବା, ସିମେଂଟ କଙ୍କ୍ରିଟର ବ୍ୟବହାର ହୋଇଥିବା, ଇଟା ବ୍ୟବହୃତ ହୋଇଥିବା, ଡିସଟେମ୍ପର ମରାଯାଇଥିବା, ପୁରୁଣା କାଠ ଓ ଲୁହାରେ ରଙ୍ଗ ଦିଆଯିବା ପ୍ରଭୃତି କାର୍ଯ୍ୟ ହୋଇଥିବା ଉଲ୍ଲେଖ କରାଯାଇଥିବା ବେଳେ ପ୍ରକୃତରେ ସେଭଳି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ହେମନ୍ତ କୁମାର ବିଶ୍ୱାଳ ବାଲି, ମେଂଟାଲ, ଚିପ୍ସ, ଓ ଇଟା ଯୋଗାଇ ଦେଇ ଡିପାର୍ଟମେଂଟାଲି ଜେ.ଇ.ଙ୍କ ଠାରୁ ୬୭ହଜାର ୬୮୧ଟଙ୍କା ବୁଝି ନେଇଥିବା ଏକ ରସିଦ ଲେଖି ଦେଇଛନ୍ତି । ପ୍ରକୃତରେ ଏସବୁର ବ୍ୟବହାର ଏଭଳି ପରିମାଣରେ ହୋଇନଥିବା ଅଭିଯୋଗ ହୋଇଛି । ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ହେଉଛି ସେହି ହେମନ୍ତ କୁମାର ବିଶ୍ୱାଳ ଆସବାବପତ୍ର ସ୍ଥାନାନ୍ତରଣ ଓ କବାଟ ମରାମତିକୁ ଯୋଗାଇଦେଇ ଡିପାର୍ଟମେଂଟାଲି ଜେ.ଇ.ଙ୍କ ଠାରୁ ୧୨ହଜାର ୨ଶହ ଟଙ୍କା ବୁଝି ନେଇଥିବା ଅନ୍ୟ ଏକ ରସିଦ ରହିଛି । ଏଥିରୁ ଏହି ପ୍ରକଳ୍ପରେ କେତେ ପରିମାଣର ଦୁର୍ନିତୀ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି । ଅନ୍ୟଏକ ଇନଭଏସରେ ସିମେଂଟ୍, ଏନାମେଲ ପେଂଟ୍, ୱାଲ ପ୍ରାଇମର, ଡିସଟେମ୍ପର, ୱେଦର କୋଟ୍, ଫାଇବର ଡୋର, ସେରାମିକ ୱାଲ ଟାଇଲ ଓ ସେରାମିକ ଫ୍ଲୋର ଟାଇଲ୍ ପ୍ରଭୃତି ୬୯ହଜାର ୨୫୮ଟଙ୍କାର ସାମଗ୍ରୀ ବଳଭଦ୍ରପୁରର ମେସର୍ସ ଆର.କେ. ସପ୍ଲାଏ ଏଜେନ୍ସୀରୁ କିଣାଯାଇଥିବା ବେଳେ ଏସବୁ ସାମଗ୍ରୀକୁ ହେମନ୍ତ କୁମାର ବିଶ୍ୱାଳ ସଂପୃକ୍ତ ସଂସ୍ଥା ଠାରୁ ଡିପାର୍ଟମୋଲୀ ଜେ.ଇ.ଙ୍କ ପାଇଁ ଗ୍ରହଣ କରିଥିବା ଦର୍ଶାଯାଇଛି । ଏକାବ୍ୟକ୍ତି ଡିପାର୍ଟମେଂଟାଲୀ ଜେ.ଇ.ଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏପଟେ ସେହି ବ୍ୟକ୍ତି ଡିପାର୍ଟମେଂଟାଲୀ ଜେ.ଇ.ଙ୍କ ପାଇଁ ସାମଗ୍ରୀ ଗ୍ରହଣ କରୁଛନ୍ତି । ଏହା ସୂଚାଇ ଦେଉଛି ଯେ ଏହି ପ୍ରକଳ୍ପରେ କିଭଳି ଦୁର୍ନୀତି ହୋଇଛି । ଅନ୍ୟ ଏକ ଇନଭଏସରେ ୫୫ହଜାର ଟଙ୍କାର ସାନିଟାରୀ ସାମଗ୍ରୀ ପୁରୁଷୋମପୁରର ମେସର୍ସ ସାଇ ଏନ୍ଟରପ୍ରାଇଜେସରୁ କିଣାଯାଇଥିବା ଓ ସେସବୁ ସାମଗ୍ରୀ ହେମନ୍ତ କୁମାର ବିଶ୍ୱାଳ ଗ୍ରହଣ କରିଥିବା ଦର୍ଶାଯାଇଥିବା ବେଳେ ଜେ.ଇ.ଙ୍କ ବିଲରେ କିନ୍ତୁ ପିଏଚ ଓ ସାନିଟାରୀ ୱାର୍କ ପାଇଁ ୪୯ହଜାର ଟଙ୍କାର ସାମଗ୍ରୀ କିଣାଯାଇଥିବା ଦର୍ଶାଯାଇଛି । କେଉଁଟା ପ୍ରକୃତରେ ଠିକ ଭାଉଚର ନା ଜେ.ଇ. ପ୍ରସ୍ତୁତ କରିଥିବା ବିଲ ତାହା ଜଣାପଡୁନି । ସେହିପରି ୧ଲକ୍ଷ ୨୦ହଜାର ୯୯୦ଟଙ୍କା ଯେଉଁ ‘ମଷ୍ଟରରୋଲ’ ବିଲରେ ସଂଲଗ୍ନ ହୋଇଛି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ ହୋଇଛି । ମଷ୍ଟରରୋଲରେ ସ୍ୱାକ୍ଷର କରିଥିବା ଲୋକ କେହିନଥିବା ଓ ସମସ୍ତ ସ୍ୱାକ୍ଷର ଜାଲ କରାଯାଇଥିବା ଅଭିଯୋଗ ହୋଇଛି । ଏସମସ୍ତ ତଥ୍ୟ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଉପରେ ଆଧାରିତ ହୋଇଛି । ଏହି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ନେଇ ଭରତପୁର ଗ୍ରାମର ଚିତରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ଗୋପାଳ ଚରଣ ଦାସ, ବିରଜା ମହାନ୍ତି, ବରଦାକାନ୍ତ ଚୈାଧୁରୀ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି ।