ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସିଙ୍ଗାପୁରର ସହଯୋଗ କାମନା କଲେ ମନ୍ତ୍ରୀ ଶ୍ରୀ ସିଂହଦେଓ
ଭୁବନେଶ୍ୱର, ୧୮/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସନ୍ଧ୍ୟାରେ ସିଙ୍ଗାପୁର ସାଧାରଣତନ୍ତ୍ରର ହାଇକମିଶନର ମିଃ ସାଇମନ୍ ୱାଙ୍ଗ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଓଡ଼ିଶାର ପ୍ରଗତି ଦିଗରେ ଆଲୋଚନା କରିଛନ୍ତି । ପୂର୍ବନିର୍ଦ୍ଧାରିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି ପାଇଁ ଓଡ଼ିଶା ସିଙ୍ଗାପୁର ସହ ସକି୍ରୟ ଭାବେ ଯୋଗାଯୋଗ ରଖିଅଛି । ଆମେ ସିଙ୍ଗାପୁର ସହିତ ଦୀର୍ଘକାଳୀନ ସହଭାଗିତା ଚାହୁଁ ଯାହା ଉଭୟ ଦେଶର ପାରସ୍ପାରିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବ । କଳିଙ୍ଗ ଯୁଦ୍ଧ ପରେ ଓଡ଼ିଶାରୁ ବୌଦ୍ଧଧର୍ମର ବହୁଳ ପ୍ରଚାରପ୍ରସାର ଆରମ୍ଭ ହୋଇ ଏହା ମଧ୍ୟପ୍ରାଚ୍ୟରୁ ଦୂରପ୍ରାଚ୍ୟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଓଡ଼ିଶାରେ ଅନେକଗୁଡ଼ିଏ ବୌଦ୍ଧ କୀର୍ତ୍ତିରାଜି ଏବଂ ସୁଦୀର୍ଘ ସମୁଦ୍ରତଟ ରହିଛି । ଏ କ୍ଷେତ୍ରରେ ସିଙ୍ଗାପୁର ସରକାର ନିବେଶ କରିବାକୁ ଶ୍ରୀ ସିଂହଦେଓ ପ୍ରସ୍ତାବ ଦେଇଥିଲେ ।
ବୈଠକରେ ହାଇକମିଶନର ମିଃ ୱାଙ୍ଗ୍ କହିଲେ ଯେ ଓଡ଼ିଶା ଏକ ନିବେଶ ଅନୁକୂଳ ରାଜ୍ୟ । ଆମେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିବାର ଯୋଜନା ରଖିଛୁ । ଆଲୋଚନା ପରିପ୍ରେକ୍ଷୀରେ ମିଃ ୱାଙ୍ଗ୍ କହିଲେ ଯେ ଆମେ ଓଡ଼ିଶାରେ ଅଦ୍ୟାବଧି ୧୫ ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିଛୁ ଏବଂ ଭାରତରେ ୧୬୦ ବିଲିୟନ୍ ନିବେଶ କରାଯାଇ ବିଭିନ୍ନ କ୍ଷେତ୍ରରେ ବିକାଶର ଧାରାକୁ ବଜାୟ ରଖିଛୁ । ପର୍ଯ୍ୟଟନ ଓ ବନ୍ଦର ଆଦି କ୍ଷେତ୍ରରେ ଆମେ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବାକୁ ଆଗ୍ରହୀ ବୋଲି ମିଃ ୱାଙ୍ଗ୍ ଉଲ୍ଲେଖ କରି ଏ ଦିଗରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ । ଆଗାମୀ ଦିନରେ ପୁଞ୍ଜିନିବେଶ ପାଇଁ ସିଙ୍ଗାପୁରକୁ ଏକ ସହଯୋଗୀ ରାଷ୍ଟ୍ର ଭାବେ ନେବାକୁ ସେ ମନ୍ତ୍ରୀଙ୍କୁ ନିବେଦନ କରିବା ସହ ମନ୍ତ୍ରୀଙ୍କୁ ସିଙ୍ଗାପୁର ପରିଭ୍ରମଣରେ ଯିବା ପାଇଁ ଆମନ୍ତ୍ରଣ ଜଣାଇଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମିଃ ୱାଙ୍ଗ୍ଙ୍କ ପ୍ରସ୍ତାବକୁ ସ୍ୱାଗତ କରିବା ସହ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ସିଙ୍ଗାପୁରର ସହଯୋଗ କାମନା କରିଥିଲେ । ଆଜିର ଏହି ବୈଠକରେ ମୋଟାମୋଟି ଭାବେ ଓଡ଼ିଶା-ସିଙ୍ଗାପୁରର ପୁଞ୍ଜିନିବେଶ ସଂପର୍କ, ରାଜ୍ୟର ଅର୍ଥନୈତିକ ବିକାଶ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା ।