୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉଦଯାପିତ

ସୁବାସ ଦାସ ଓ ସାଥୀଙ୍କ ଦ୍ୱାରା ଭଜନ ଓ ଲଘୁ ସଂଗୀତ ପରିବେଷଣ

ଗଞ୍ଜାମର  ଆକର୍ଷଣୀୟ ପଶୁମୁଖା ନୃତ୍ୟ ଏବଂ କରଞ୍ଜିଆ ର ମାଲଖମ୍ବ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଲା

ଭୁବନେଶ୍ୱର,୧୪/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଆଜି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଉଦଯାପିତ ହୋଇଯାଇଛି । ଆଜି ଦ୍ଵିତୀୟ ତଥା ଉଦଯାପନୀ ଦିବସ ସନ୍ଧ୍ୟାରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ସହର ଏବଂ ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ସେ ସମସ୍ତ ନାଗରିକଙ୍କ ସହଯୋଗ କାମନା କରିଥିଲେ । ଏଥି ସହିତ ରାଜଧାନୀକୁ ଏକ ବିକଶିତ ତଥା ଉନ୍ନତ ସହର ଭାବେ ଗଢି ତୋଳିବାକୁ ସେ ସମସ୍ତଙ୍କର ସମ୍ମିଳିତ ପ୍ରଚେଷ୍ଟା କାମନା କରିଥିଲେ ।

ଉଦଯାପନୀ ସଂଧ୍ୟାରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଆନୁକୂଲ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଆୟୋଜନ ଓ ସମସ୍ତ ସହଯୋଗକୁ ପ୍ରଶଂସା କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଦି ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥା ମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ମିଡିଆ ଫେଡେରେସନ ର ଉପଦେଷ୍ଟା ଶ୍ରୀ ଗୌରଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ଶ୍ରୀ ମଳୟ କୁମାର ବେହେରା, ଶ୍ରୀ ଶୁଭଙ୍କର କୁମାର ଏବଂ  ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଆଜିର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗଞ୍ଜାମର ପଶୁ ମୁଖା ନୃତ୍ୟ, ମୟୁରଭଞ୍ଜ, କରଞ୍ଜିଆ ର ପଲ୍ଲବୀ ନାଟ୍ୟ ସଂସ୍ଥା ପକ୍ଷରୁ ମାଲଖମ୍ବ, ସୁବାସ ଦାସ ଏବଂ ସାଥିଙ୍କ ଦ୍ୱାରା ଭଜନ, ଲଘୁ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଶ୍ରୀ ବାସୁଦେବ ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

-0-

ଜିତେନ୍ଦ୍ରିୟ ଜେନା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ଭୁବନେଶ୍ୱର ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *