ଶତାଧିକ ଏକର ଧାନ ଓ ପରିବା ଫସଲ ନଷ୍ଟ, ହିରିମୁଳ ଗାଁରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଂଟନ
ନିରାକାରପୁର, ୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଖୋର୍ଦ୍ଧା ବ୍ଲକର କିଛି ଅଂଚଳରେ ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଛି । ଏହାର ଶାଖା ନଦୀ ରାଜୁଆ, ଦୟାରେ ଜଳସ୍ତର ବଢିବାରୁ ଖୋର୍ଦ୍ଧା ଜିଲାରେ ଭୟଙ୍କର ପରିସ୍ଥିିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ବ୍ଳକ ଓବରସିଂ, ନରଣଗଡ ଏବଂ ବ୍ରଜମୋହନପୁର ପଂଚାୟତର ଦୁଃଖ ରାଜୁଆ ନଦୀ । ପ୍ରତିବର୍ଷ ହିରାକୁଦ ଗେଟ ଖୋଲିଲେ, ରାଜୁ୍ରଆ ଏହି ତିନି ପଂଚାୟତବାସୀଙ୍କ ଦୁର୍ଦ୍ଧଶା ବଢିଥାଏ ।ରାଜୁଆର ବନ୍ୟାଜଳ ଏହି ୩ ପଂଚାୟତରେ ପ୍ରବେଶ କରିଥାଏ । ଫଳରେ ଏହି ପଂଚାୟତର ବହୁ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥାଏ । ଗ୍ରାମବାସୀ ଜଳବନ୍ଦି ହୋଇ ରହିବା ସହ ଏକର ଏକର ଚାଷ ଜମି ପାଣିରେ ବୁଡି ରହିଥାଏ । ଫଳରେ ଗ୍ରାମବାସୀ ନାହିଁ ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଥାନ୍ତି । ନିଅଂଟିଆ ବର୍ଷା, ଲଘୁଚାପ ବର୍ଷାରେ ଚାଷୀ କୂଳ କ୍ଷତିଗ୍ରସ୍ତ ହେଉଥିବା ବେଳେ ରାଜୁଆ ନଦୀର ବନ୍ୟାଜଳ ଏହି ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ପ୍ରତିବର୍ଷ ଏହି ଗ୍ରାମର ଚାଷୀ ବହୁ କଷ୍ଟ ସହି ଧାନ ଏବଂ ଅଣଧାନ ଚାଷ କରନ୍ତି ।
ସ୍ୱଳ୍ପ ବୃଷ୍ଟି ଦାଉ ସାଜୁଥିବା ବେଳେ ଫସଲ ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡି ଚାଷ ଜମିକୁ ମାଡି ସବୁ ଛାରଖାର କରି ଦେଉଛି ବୋଲି ଚାଷୀ କହିଛନ୍ତି । ପ୍ରକାଶ ଯେ, ବନ୍ୟାଜଳ ଏବେ ହିରିମୂଳ, ଡିହଖଳା, ଦୁର୍ଗାପୁର, ମାନପୁର, ଧବଳପୁର ଗାଁରେ ରାଜୁତି କରୁଛି । ଚାରିଆଡେ ବନ୍ୟାଜଳ ଘେରି ରହିଛି । ଏଥିସହିତ ଏକର ଏକର ଚାଷଜମିରେ ପାଣି ଜମି ରହିଛି । ଫଳରେ ଧାନଗଛ ନଷ୍ଟ ହୋଇ ପଚି ସଢି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ହିରିମୂଳ ଗ୍ରାମର କେତେଜଣ ଚାଷୀ କୁହନ୍ତି ଧାରକରଜ କରି ବହୁ କଷ୍ଟରେ ଧାନ ଓ ପରିବା ଚାଷ କରିଥିଲୁ । ମାତ୍ର ସବୁ ପରିଶ୍ରମ ଛାରଖାର ହୋଇଗଲା । ସବୁଠି ପାଣି ଜମିଛି । ଚାଷ ଜମିରେ ଆଣ୍ଠୁଏ ଉଚ୍ଚରେ ପାଣି ରହିଛି । ପାଣି ଛାଡିବାକୁ କିଛି ଦିନ ସମୟ ଲାଗିବ । ପାଣିି ଜମି ରହିବା ଯୋଗୁ ଧାନମୂଳରୁ ନଷ୍ଟ ହୋଇଯାଇଛି । ପ୍ରତିବର୍ଷ ହିରାକୁଦ ଗେଟ ଖୋଲିଲେ, ରାଜୁଆ ନଦୀର ପଛୁଆ ପାଣି ଏହି ଗ୍ରାମରେ ପ୍ରବେଶ କରି ଧିରେ ଧିରେ ଏହାର ଜଳସ୍ତର ବଢିଥାଏ । ଗତ ବର୍ଷ ଦୁଇ ସପ୍ତାହ ଧରି ୧୦ଖଣ୍ଡ ଗ୍ରାମ ପାଣି ଘେରରେ ରହିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କ୍ଷତିପୂରଣ ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳୁଛି । କ୍ଷତିପୂରଣ ସମୁଦ୍ରକୁ ଶେଙ୍ଖ ପାଣି ସଦୃଶ୍ୟ । ନକହିଳେ ଭଲ । କେବେ ମିଳିବ, ତାହାର କୌଣସି ସମୟ ନିଘଂଟ ନାହିଁ । ତେବେ ବନ୍ୟା ପରିସ୍ଥିତି ଆଜିକାଲିର ସମସ୍ୟା ନୁହଁ, ବରଂ ଦୀର୍ଘ ଦିନ ଧରି ଲାଗି ରହିଛି । ବାରମ୍ବାର ଦାବି ସତ୍ୱେ ରାସ୍ତା ନିର୍ମାଣ କରାଯାଉନାହିଁ । କେତେଜଣ ଚାଷୀଙ୍କ କହିବା ନୁଯାୟୀ ରାଜୁଆ ନଦୀର ପଛୁଆ ପାଣି ଆସି ଉପରୋକ୍ତ ଗ୍ରାମରେ ପ୍ରବେଶ କରିଲେ, ଏହି ଗ୍ରାମ ଏବଂ ଚାଷଜମି ଜଳମଗ୍ନ ହେଉଛି । ଗ୍ରାମବାସୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶରଧାପୁର ଠାରୁ ଲେଖନପୁର ୨କିମି ପର୍ଯ୍ୟନ୍ତ ରାଜୁଆ ନଦୀର ପଶ୍ଚିମ ପାଖରେ ବନ୍ଧ ନାହିଁ । ଏହି ବନ୍ଧ ନିର୍ମାଣ କରାଗଲେ ଏହି ୩ ପଂଚାୟତରେ ବନ୍ୟା ସମସ୍ୟା ଦୂର ହୋଇଯିବ । ଏଠାରେ ବନ୍ଧ ନିର୍ମାଣ କରାଯାଉ ଅଥବା ଲେଖନପୁର ଠାରେ ଏକ ଆଡିବନ୍ଧ ନିର୍ମାଣ କରାଗଲେ, ସମସ୍ୟାର ସମାଧାନ ହୋଇଯିବ । ନିକଟରେ ଏକ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟ ଅଧାରେ ଅଟକି ରହିଛି । ଏହି ବ୍ୟାରେଜ ନିର୍ମାଣ ହେଲେ ଖୋର୍ଦ୍ଧା ବ୍ଳକର ବନ୍ୟା ପ୍ଳାବିତ ଗ୍ରାମଗୁଡିକ ଉପକୃତ ହୋଇପାରିବେ ବୋଲି କୁହନ୍ତି । ବନ୍ୟାଜଳରେ ଚଳିତବର୍ଷ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ହିରିମୂଳ ଗ୍ରାମକୁ ଯାତାୟତ ଲାଗି ଦୁଇଟି ମୋଟରଚାଳିତ ଡଙ୍ଗା ଏବଂ ଚାଳକଙ୍କୁ ନିୟୋଜିତ କରାଯାଇଛି । ତେବେ ଯାତାୟତ ଲାଗି ପଯ୍ୟାପ୍ତ ହେଉନି । ଚାରିଆଡେ ପାଣି ଜମି ରହିଛି । ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ବ୍ଲକ ବିଡ଼ିଓ କ୍ଷୀରାବ୍ଧି ତନୟା ସାହୁ ଓ ଏବିଡ଼ିଓ ଆସି ପରିସ୍ଥିତର ଅନୁଧ୍ୟାନ କରି ଯାଇଛନ୍ତି । ଆଜି ହିରିମୂଳ ଗ୍ରାମରେ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।