ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି
ନିରାକାରପୁର, ୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ଆମ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବା ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ରହୁ। ବିଭିନ୍ନ ଲୋକ କଳା ସହିତ ପୂର୍ବ ପୁରୁଷ ସୁରୀ ମାନଙ୍କୁ ମନେ ପକାଇବାକୁ ଏହା ଗୋଟିଏ ପ୍ରକୃଷ୍ଟ ପରିବେଶ ବୋଲି ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ଜଂକିଆ ପଲ୍ଲୀ ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। କମିଟି ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁଜିବୁଲା ଖାଁ ( ମୁନା ଖାଁ)ଯୋଗଦେଇ ଖୋର୍ଦ୍ଧାର ଇତିହାସ ଉପରେ ବର୍ଣ୍ଣନା କରିବା ସହ ଏ ଭଳି କାର୍ଯ୍ୟକ୍ରମ ଭାଇଚାରା ଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତଭାବେ ବିଧାୟକ ଜିତୁ ମିତ୍ର, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ,ସମାଜସେବୀ ଫାରୁକ୍ ମହମ୍ମଦ, ଜଂକିଆ ସରପଞ୍ଚ ପଙ୍କଜିନୀ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ ପରିଚାଳନା କରିଥିବା ବେଳେ ଉପସ୍ଥାପନା ଉପସ୍ଥାପକ କମଳେଶ ମହାରଣା କରିଥିଲେ। ଆଜି ନିରାକାରପୁର ଶ୍ରୀ ସାଇ ଡ୍ୟାନସ ଗ୍ରୁପ ଓ କୁହୁଡି ମା ମଙ୍ଗଳା ପାଇକ ଆଖଡ଼ା ଦଳ କଳାକାରମାନେ ନୃତ୍ୟ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲେ। ଏହି ଅବସରରେ ପଲ୍ଲୀ ଉତ୍ସବ ନୂତନ ଗୃହକୁ ଅତିଥିମାନେ ଉଦଘାଟିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।