Sunday , October 1 2023
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ୧୫ଦିନରେ ପହଂଚିଲା

କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ୧୫ଦିନରେ ପହଂଚିଲା

୨୩ରେ ଦିନିକିଆ ଅର୍ଥନୈତିକ ଅବରୋଧ, ସାରା ଜିଲାରେ ଆନ୍ଦୋଳନ ପ୍ରତି ସମର୍ଥନ ବଢୁଛି

କେନ୍ଦ୍ରାପଡ଼ା,୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣାକୁ ଆଜି ୧୫ଦିନ ପୁରିଲା । କେନ୍ଦ୍ରାପଡା ଜିଲା ମେଡିକାଲ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଏହି ଗଣଧାରଣା ଚାଲିଥିବା ବେଳେ ସାରା ଜିଲାରୁ ସମସ୍ତ ରାଜନୈତିକ ଦଳ, ରାଜନୈତିକ ବ୍ୟକ୍ତି ବିଶେଷ, ଗଣସଂଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଛାତ୍ର, ଯୁବକ, କୃଷକ, ଶ୍ରମିକ, କର୍ମଚାରୀ, ବ୍ୟବସାୟୀ ସଂଗଠନ, ଜିଲା ଓକିଲ ସଂଘ ପ୍ରଭୃତିର କର୍ମକର୍ତାମାନେ ପ୍ରତିଦିନ ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକୁ ସମର୍ଥନ କରିବା ସହିତ ଜିଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ ଦାବି ଜଣାଉଛନ୍ତି । ଏହି ସମୟ ମଧ୍ୟରେ ସରକାର ଦାବିକୁ ଗ୍ରହଣ ନକଲେ ଆସନ୍ତା ୨୩ତାରିଖରେ ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଜିଲାବାସୀଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଅର୍ଥନୈତିକ ଅବରୋଧ ତାରିଖ ଯେତେ ଯେତେ ପାଖେଇ ଆସୁଛି ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତାମାନେ ସାରା ଜିଲାର ବିଭିନ୍ନ ଅଂଚଳକୁ ତୋଫାନୀ ଗସ୍ତ କରିବା ସହିତ ଅର୍ଥନୈତିକ ଅବରୋଧକୁ ସଫଳ କରିବାକୁ ସଭା ସମିତି କରି ଲୋକଙ୍କୁ ଅବଗତ କରାଉଛନ୍ତି ।  ୯ଟି ବ୍ଲକ ଓ ୨ଟି ପୌରାଂଚଳରୁ ଯେପରି ସମସ୍ତେ ଆସିବେ ସେଥିପାଇଁ ନିବେଦନ କରାଯାଇଛି । ଶିକ୍ଷକ ନେତା ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଗଣଧାରଣାରେ ନାରୀନେତ୍ରୀ ତନୁଜା ଥାପ୍ପା, ସୁହାନା ବିବି, ସୁହାନା ବେଗମ, ଛାତ୍ରନେତା ପବିତ୍ର କୁମାର ପରିଡା, ଯୁବନେତା ଅମରେନ୍ଦ୍ର ଦାସ, ଶ୍ରମିକ ନେତା ମୁକ୍ତାର ଖାଁ, ପର୍ଶୁରାମ ସ୍ୱାଇଁ, ଭରତ ସାହୁ, ଶ୍ରୀଧର ମହାନ୍ତି, ସେକ ଜଲାଲଉଦ୍ଧିନ, କର୍ମଚାରୀ ନେତା ରବୀନ୍ଦ୍ର ନାଥ ରଥ, ସମବାୟବୀତ କୁଳମଣୀ ନାୟକ, ପୂର୍ବତନ ସରପଂଚ ଭାଗୀରଥି ଜେନା, କ୍ରିୟାନୁଷ୍ଠାନ କମିଟି ସଭାପତି ଅଜୟ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆବାହକ ମଣ୍ଡଳୀ ପକ୍ଷରୁ ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *