ଗରଦପୁର, ୧୮/୦୯/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ରାପଡ଼ା ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୬୦ଟି ଅଭିଯୋଗ ହୋଇଥିବାବେଳେ ସେଥି ମଧ୍ୟରୁ ୪ଗୋଟି ସାମୂହିକ ଓ ୫୬ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଏହି ଶିବିରରେ କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜଙ୍କ ସହିତ ଆରକ୍ଷୀ ଅଧିକ୍ଷକ ସମ୍ବିତ୍ ସମ୍ପଦ ମଦକର, ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲାପାଳ ନିରଂଜନ ବେହେରା, ବିଡିଓ ଧର୍ମରଂଜନ ପଣ୍ଡା, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ତହସିଲଦାର ମହେଶ୍ୱର ବେହେରା ପ୍ରମୁଖ ସାମିଲ ହୋଇ ଜନଶୁଣାଣୀରେ ସହଯୋଗ କରିଥିଲେ । ତେନ୍ତୋଳ ଗ୍ରାମର ଶୁକଦେବ ମହାପାତ୍ର ଜଣେ ଗରିବ ଲୋକ ହୋଇଥିବାବେଳେ ତାଙ୍କର ଆଜି ସୁଦ୍ଧା ପକ୍କା ଗୃହ ଟିଏ ନାହିଁ । ପୁରୁଣା ଆବାସ ଯୋଜନାରେ ତାଙ୍କୁ ମିଳିଥିବା ୧୮ହଜାର ଟଙ୍କା ସେ ବ୍ଲକ୍ କୁ ଫେରସ୍ତ ଦେଇଥିଲେ । ହେଲେ ସରକାରୀ ନିୟମ ମୁତାବକ ଆଜି ସୁଦ୍ଧା ତାଙ୍କୁ ନୂଆ ଆବାସ ଯୋଜନାରେ ପକ୍କା ଗୃହଟିଏ ମିଳିପାରିନାହିଁ । ସେଥିପାଇଁ ସେ କ୍ଷୋଭର ସହ ଅଭିଯୋଗ କରିଥିଲେ । ଭଦାଳ ଗ୍ରାମର ମନୋରଂଜନ ଦାସଙ୍କ ବାସଗୃହ ସମ୍ମୁଖରେ ଥିବା ସରକାରୀ ଜମିକୁ ଅନ୍ୟଜଣେ ଜବର ଦଖଲ କରିଥିବାରୁ ତାଙ୍କ ଘରକୁ ରାସ୍ତା ନାହିଁ । ଜବର ଦଖଲ ମୁକ୍ତ କରି ତାଙ୍କ ଘରକୁ ରାସ୍ତା ଦେବାକୁ ପ୍ରଶାସନକୁ ସେ ଗୁହାରୀ କରିଥିଲେ । ବନ୍ତଳା ଗ୍ରାମର ସୁରେନ୍ଦ୍ରନାଥ ନାୟକ ପ୍ରମୁଖ ୬ଜଣଙ୍କୁ ଦୀର୍ଘ ୮ମାସ ଧରି କଳାକାର ଭତା ମିଳିନଥିବାରୁ ତୁରନ୍ତ ସେ ଦିଗରେ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ସେହିପରି ମହାକାଳପଡା ବ୍ଲକ୍ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଶଶୀକାନ୍ତ ମହାନ୍ତି ପାରାଦ୍ୱୀପର ଆଇଓସିଲକୁ ବିଛା ଯାଇଥିବା ମେଗା ପ୍ରକଳ୍ପ ପାଇପ୍ ଲାଇନ୍ ଦ୍ୱାରା ତେରଗାଁ, ଗଡରୋମିତ ଓ ପାଟଳିପଙ୍କ ଗ୍ରାମର ଚାଷ ଜମିର ହିଡ ବାଡ ନଷ୍ଟ ହେବା ସହିତ ଫସଲ ହାନି ଘଟୁଛି । ଏ ବାବଦରେ ଅଭିଯୋଗ କରିବା ପରେ ପ୍ରଶାସନ ଆଇଓସିଏଲ୍ କୁ ନଷ୍ଟ ହୋଇଥିବା ଜମିର ହିଡ ବାଡ ସୁରକ୍ଷା ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ତିନି ବର୍ଷ ହେଲା ଆଇଓସିଏଲ୍ କର୍ତୃପକ୍ଷ ତାହା ପାଳନ କରୁନଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ । ଏଥି ସହିତ ହୁରାସାହି ଗ୍ରାମରେ ଥିବା ସୋଲାର ପାନୀୟଜଳ ବ୍ୟବସ୍ଥା ତଥା ପାଇପ୍ ଲାଇନ୍ ବ୍ୟବସ୍ଥ୍ୟା ଅଚଳା ହୋଇ ପଡିଥିବାରୁ ହୁରାସାହି ଗ୍ରାମର ୨୫ଟି ପରିବାର ନଈର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଜିତେନ୍ଦ୍ର କୁମାର ରାଉତରାୟ ଅଭିଯୋଗ କରିଥିଲେ । ବନ୍ଧସାହି ଗ୍ରାମର ରମେଶ ଚନ୍ଦ୍ର ଜେନା ଜଣେ ଭୂମିହୀନ ଗରିବ ଲୋକ । ରାସ୍ତା କଡରେ ସେ ଘରକରି ରହୁଛନ୍ତି । ଏବେ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି । ହେଲେ ଘର କରିବା ପାଇଁ ସ୍ଥାୟୀ ଜାଗା ନଥିବାରୁ ତୁରନ୍ତ ତାଙ୍କୁ ସରକାରୀ ଜାଗା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ । ଦୀର୍ଘ ବର୍ଷ ପରେ ଚଁପୁରରୁ ପୃଥକ୍ ହୋଇ ହୁରାସାହିକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି । ଜନଶୁଣାଣୀ ଶିବିରରେ ଜିଲାପାଳ ଶ୍ରୀ ଋତୁରାଜ ହୁରାସାହି ନୂତନ ରାଜସ୍ୱ ଗ୍ରାମର ଜିତେନ୍ଦ୍ର ରାଉତରାୟ, ବଂଶୀଧର ସାହୁ, ଯୁଧିଷ୍ଠିର ସ୍ୱାଇଁ ପ୍ରମୁଖ ୨୫ଜଣଙ୍କୁ ନୂତନ ପଟ୍ଟା ବଂଟନ କରିଥିଲେ । ବାମରା ଗ୍ରାମର ୪ନଂ. ୱାର୍ଡକୁ ଠିକ୍ ଭାବରେ ପାନୀୟଜଳ ପହଂଚି ପାରୁନାହିଁ ବୋଲି ପ୍ରଶାନ୍ତ ନାୟକ ଓ ନିତ୍ୟାନନ୍ଦ ନାୟକ ଅଭିଯୋଗ କରିଥିଲେ । ସରକାରୀ ସ୍ତରରେ ବରିଷ୍ଠ ନାଗରିକ ଦିବସ ପାଳନ କରିବାକୁ ବରିଷ୍ଠ ନାଗରିକ ଦ୍ୱାରିକାନାଥ ସେନାପତି ଅଭିଯୋଗ କରିଥିଲେ । ଭଦକମଳ ଗ୍ରାମର ନିଳିମା ନାୟକ ତିକନପୁର ଗ୍ରାମର ସିଆରପି ଚୟନ ଠିକ୍ ଢଙ୍ଗରେ ହୋଇନାହିଁ ବୋଲି ଅଭିଯୋଗ କରିଥିଲେ । ବାହାକୁଦ ଗ୍ରାମର ମାନସ କୁମାର ନାୟକ ଅଭିଯୋଗ କରିଥିଲେ ଯେ ତାଙ୍କ ନିଜସ୍ୱ ଜାଗା ଉପରେ ରାସ୍ତା ନେବାକୁ ତାଙ୍କ ସହିତ ଜୁଲମ କରାଯାଉଥିବା ସେ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ । ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏକ ବହୁ ପୁରୁଣା ଅବ୍ୟବହୃତ କୋଠାଘରକୁ ଭାଙ୍ଗି ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ପଂଚାୟତର ସରପଂଚ ଅମୀୟ କୁମାର ଜେନା ଦାବି କରିଥିଲେ । ସେହିପରି ବଙ୍ଗାଳପୁରକୁ ଏକ ରାଜସ୍ୱ ସର୍କଲ କରିବା ପାଇଁ ସେ ଦାବି କରିଥିଲେ । କୋରୁଆ କଲେଜ ଛକ ନିକଟସ୍ଥ ହରିପୁର ଗ୍ରାମରେ ଆରଏମସି ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ରହିଛି । ଆରଏମସିର ଜମି ଉପରେ ସଂପୃକ୍ତ ବ୍ୟକ୍ତି ରାତି ଅଧିଆ ନିଜ ଘର ପର୍ଯ୍ୟନ୍ତ ଜବରଦସ୍ତ ଏକ ପକ୍କା ରାସ୍ତା ତିଆରି କରିଛି । ଫଳରେ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ୧୭ଟି ଦୋକାନ ଗୃହ ସମ୍ମୁଖରେ ଉଦବୃତ ବର୍ଷାଜଳ ନିଷ୍ପାସିତ ହୋଇନପାରି ଜମି ରହୁଛି । ଏ ସମ୍ପର୍କରେ ଅମଳେନ୍ଦୁ ସ୍ୱାଇଁ, ସନ୍ତୋଷ ମାହାଳି, ବବ୍ରୁବାହନ ଷଡଙ୍ଗୀ ପ୍ରମୁଖ ଅଭିଯୋଗ କରିବା ପରେ କଂକ୍ରିଟ ରାସ୍ତା ଭାଙ୍ଗି ଦେବାକୁ ଜିଲାପାଳ ଗରଦପୁର ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଘର ଉପରେ ପଣସ ଗଛ ଏବଂ ଅନ୍ୟାନ୍ୟ ଗଛ ଶୋଇଥିବାରୁ ତାକୁ କାଟିବା ପାଇଁ ବରହମ୍ ପୁର ଗ୍ରାମର ଖଗେଶ୍ୱର ବାରିକ ଆପତି ଉଠାଇଥିଲେ । ଗରଦପୁର ପଂଚାୟତର ଏମବିକେ ଓ ବ୍ୟାଙ୍କ ମିତ୍ର ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଗରଦପୁର ଗ୍ରାମର ସାଗରବାଳା ପଣ୍ଡା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହରିଦାସପୁର ଗ୍ରାମର କର୍କଟ ପୀଡିତ ନିତ୍ୟାନନ୍ଦ ମହାନ୍ତି ଆର୍ଥିକ ସହାୟତା ପାଇଁ ଗୁହାରି କରିଥିଲେ । ପରିଶେଷରେ କଳାବୁଦା ଗ୍ରାମର ଭିନ୍ନକ୍ଷମ ଦିଲ୍ଲୀପ କୁମାର ନାୟକଙ୍କୁ ପ୍ରଶାସନ ତରଫରୁ ତିନିଚକିଆ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସ, ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିରଂଜନ ରଥ, ଜଳଯୋଗାଣ ଯନ୍ତ୍ରୀ ବସନ୍ତ କୁମାର ସେଠୀ, ବ୍ଲକ୍ କୃଷି ଅଧିକାରୀ ଗୌତମ ରାୟ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ବ୍ଳକ୍ ପଂଚାୟତ ଅଧିକାରୀ ମୃଣ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।