ଲକ୍ଷ୍ମୀପୁର ୧୫/୦୯/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର୍ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ଶିକ୍ଷକ ସଂଘ ଡାକରାରେ ୩ ଦଫା ଦାବିନେଇ ଆଠ ଦିନ ହେଲାଣି ତମ୍ବୁ ଟାଣି ଧାରଣାରେ ବସିଥିବା ବେଳେ ରାଜ୍ୟ ସରକାର ଚୁପ୍ ବସିଛନ୍ତି । ଫଳରେ ଲକ୍ଷ୍ମୀପୁର ବ୍ଲକର କିଛି ଶିକ୍ଷାନୁଷ୍ଠାନ ଉପରେ ଏହାର ପ୍ରଭାବ ପଡ଼ିବାରୁ ଅନେକ ଛାତ୍ର ଛାତ୍ରୀ ଶିକ୍ଷ୍ୟା ଦାନରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବିକ ପ୍ରତ୍ୟେକ ବ୍ଲକରେ କେତେ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ରିପୋର୍ଟ ତୁରନ୍ତ ଜଣାଇବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଲକ୍ଷ୍ମୀପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ତରଫରୁ କୌଣସି ସନ୍ତୋଷ ଜନକ ତଥ୍ୟ ମିଳି ପାରିନି। ଦୈବ।ତ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲକ୍ଷ୍ମୀପୁର ଗସ୍ତରେ ଆସି ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷକ ମାନଙ୍କ ଦାବି ଯଥାର୍ଥ ବୋଲି କହିଛନ୍ତି। ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, କେନ୍ଦ୍ର ସରକାର କେନ୍ଦ୍ରୀୟ ବେତନ ହାରରେ ଦରମା ଦେବା ସକାଶେ ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ରାଜ୍ୟ ସରକାର କାହିଁ କି ଶିକ୍ଷକ ମାନଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ।
ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଦାବି ନମାନିବା ଏକ ପ୍ରକାର ସାମାଜିକ ଅପରାଧ ବୋଲି କହିବା ସହ ରାଜ୍ୟ ରେ ବିଜେପି ସରକାର ଆସିଲେ ତାଙ୍କ ନିର୍ବାଚନ ଇସ୍ତାହାର ରେ ଶିକ୍ଷକ ମାନଙ୍କ ଦାବି ପୂରଣ କରାଯିବ ବୋଲି ଧାରଣାରେ ବସିଥିବା ଶିକ୍ଷକ ମାନଙ୍କ ସମ୍ମୁଖରେ ଘୋଷଣା କରିଥିଲେ।ରାଜ୍ୟ ସ୍ତରରେ ବିଜେପି ଦଳ ବର୍ତ୍ତମାନ ସୁଧା ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁନଥିବା ବେଳେ ରାଜ୍ୟ ସଭାପତିଙ୍କ ଅଚାନକ ଲକ୍ଷ୍ମୀପୁର ଗସ୍ତରେ ଆସି ତରବରିଆ ଭାବେ ଯାହା କହିଗଲେ ତାହା ଆଗାମୀ ଦିନରେ ସତରେ କଣ ପରିପୂର୍ଣ ହେବ ନ ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା।
ଏହି ଧାରଣାରେ ବ୍ଲକ୍ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡ଼ା,ସମ୍ପାଦକ ତ୍ରିନାଥ ମହାପାତ୍ର,ଏନପିଏସ ସଂଘ ସଭାପତି ଜଇଦାନ ଖରା,କୋଷାଧ୍ୟକ୍ଷ ସୀମାଞ୍ଚଳ ବୈପାରି,ସମ୍ପାଦିକା ଶାନ୍ତା ମଣି କଳ୍ପା,ଜୁନିୟର ଟିଚର୍ ସଂଘର ସଭାପତି ସରୋଜ ଜେନା,ଭାଷା ଭିତ୍ତିକ ସଂଘର ସଭାପତି ନବୀନ ଚନ୍ଦ୍ର ମାଢିଙ୍କ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।