ଗଂଜାମ, ୧୪/୦୯/୨୦୨୩ (ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଯାଇଛି ଏକ ଲୋମ ଟାଙ୍କୁରା ବିଭତ୍ସ ଜଘନ୍ୟ ହତ୍ୟାକାଣ୍ଡ। ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏକ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀକୂଳକୁ ନେଇ ହାତ, ଗୋଡ଼, ଜଂଘ ଓ ବେକକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଥିବା ସୂଚନା। ମୃତକ ହେଉଛନ୍ତି ବୁଲି ମୂଳି। ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ନିଜେ ପୁଲିସ ନିକଟରେ ଆତ୍ମସମର୍ପଣ କରି ହତ୍ୟାକାଣ୍ଡ ନେଇ ପୁଲିସ ନିକଟରେ ବୟାନ ଦେଇଛି। ଅଭିଯୁକ୍ତ ସ୍ୱାମୀ ଠାରୁ ଘଟଣା ସଂପର୍କରେ ସମସ୍ତ କଥା ଅବଗତ ହେଲା ପରେ ସୋରଡ଼ା ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ନେଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି। ଋଷିକୂଲ୍ୟା ନଦୀରେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ମୃତକଙ୍କ କଟା ଅଂଶରୁ କିଛି ଜବତ ହୋଇପାରିନାହିଁ । ପୁଲିସ ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।