ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ
କେନ୍ଦ୍ରାପଡ଼ା, ୧୪/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ୱେ ମାର୍ଶାଘାଇ ବ୍ଲକର ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଧାରଣା ସ୍ଥଳରେ ପହଂଚିି ଆଜିର ଗଣଧାରଣାର ନେତୃତ୍ୱ ନେଇଥିଲେ । ସେମାନଙ୍କ ଉପସ୍ଥିତି ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବା ବେଳେ ସେମାନେ ସରକାରଙ୍କ କେନ୍ଦ୍ରାପଡା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ପ୍ରବଳ ନାରାବାଜି କରିଥିଲେ । ପରେ ପରେ କ୍ରିୟାନୁଷ୍ଟାନ କମିଟିର ଅନ୍ୟତମ ଆବାହକ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟିର ମାର୍ଶାଘାଇ ବ୍ଲକ ସଭାପତି ପ୍ରତାପ ପରିଡା ଓ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ରାୟଙ୍କ ସମେତ ପ୍ରଫୁଲ୍ଲ ଦାସ, ବରିଷ୍ଠ କମୁ୍ୟନିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ରବୀନ୍ଦ୍ର ନାଥ ରଥ, ଭରତ ଚରଣ ସାହୁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମୁକ୍ତାର ଖାଁ, ଭାଗୀରଥି ଜେନା, ବୈଷ୍ଣବ ଚରଣ ସ୍ୱାଇଁ, ଅଧିକାରୀ ରାଧାକାନ୍ତ ଦାଶ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଘର ସାଧାରଣ ସମ୍ପାଦକ ନରୋତମ ଜେନା, ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ଶ୍ରୀଧର ମହାନ୍ତି, ହୃଷିକେଶ ବେହେରା, ରାଖାଲ ଚନ୍ଦ୍ର ମହାନ୍ତି, ବଳରାମ ବେହେରା, ତନୁଜା ଥାପ୍ପା, ସୁହାନା ବିବି, ସିକନ୍ଦର ଆଲାମ, ସନ୍ତୋଷ କୁମାର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ ବୀତସ୍ପୃହ ନୀତିକୁ ଦୃଢ ନିନ୍ଦା କରିଥିଲେ । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ଡେରାବିଶ ବ୍ଲକର ଛତା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସଂଗଠନର ନେତୃତ୍ୱମାନେ ଯୋଗଦେଇ ଆସନ୍ତା ୨୩ତାରିଖରେ ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ବଜ୍ର ଶପଥ ନେଇଥିବା ଜଣାପଡିଛି ।