Friday , September 22 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ

କେନ୍ଦ୍ରାପଡ଼ା, ୧୨/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଂଚିଛି । ସରକାରଙ୍କ ପକ୍ଷରୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବା କାରଣରୁ ଜିଲା ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହିବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ଅନ୍ୟ ପକ୍ଷରେ କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢିବାରେ ଲାଗିଛି । ପ୍ରବଳ ବର୍ଷା ସତ୍ୱେବି ଆଜି ଧାରଣାକାରୀମାନେ ବର୍ଷାରେ ଭିଜି ଧାରଣା ଦେଇଥିବାର ଦେଖାଯାଇଛି । ଆଜି ଗଣଧାରଣା ସ୍ଥଳରେ ଆମ୍ ଆଦମୀ ପାର୍ଟିର ଜିଲା ସଭାପତି ସନ୍ଦୀପ୍ତ ଦାସ ଓ ସମ୍ପାଦକ ସୂର୍ଯ୍ୟକାନ୍ତ ପଣ୍ଡା ପହଂଚି ଏହି ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ସହିତ ତାଙ୍କ ପାର୍ଟି ଜଡିତ ରହିବ ବୋଲି ଘୋଷଣା କରିଛନ୍ତି । କ୍ରିୟାନୁଷ୍ଠାନ କମିଟିର କର୍ମୀମାନଙ୍କ ମଧ୍ୟରୁ କେତେକ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ବ୍ଲକ ସଂଗଠନ ଗୁଡିକୁ ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ କେତେ ଜଣ ଗଣଧାରଣା ଆନ୍ଦୋଳନକୁ ଚଳାଇ ରଖୁଛନ୍ତି । ଆଜି ଧାରଣା ସ୍ଥଳରେ କମିଟିର ସଭାପତି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶିଷ୍ଟ ସମବାୟବିତ୍ ସୁଶୀଲ ସାମଲ, ପ୍ରଫେସର ଡଃ. ଗିରୀଶ ଚନ୍ଦ୍ର ପାତ୍ର, କର୍ମଚାରୀ ନେତା ସୁରେଶ ଚନ୍ଦ୍ର ପଟ୍ଟନାୟକ, ଛାତ୍ର ନେତ୍ରୀ ଶିବାନୀ ଦାସ, ସାଗରିକା ଚୌଧୁରୀ, ରୁଦ୍ରନାରାୟଣ ବେହେରା, ରାଜେନ୍ଦ୍ର ମହାପାତ୍ର, ଫକୀର ଚରଣ ଖଟୁଆ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, କେଦାର ସାମନ୍ତରାୟ, ସରୋଜ ମଲିକ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଅମରେନ୍ଦ୍ର ଦାସ, ଅଧିକାରୀ ରାଧାକାନ୍ତ ଦାଶ, ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ, କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ନେତୃତ୍ୱ ଦେବା ସହ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ଜିଲାବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନକରି ତୁରନ୍ତ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *