ଜଗତସିଂହପୁର, ୧୧/୦୯/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ତରଡାପଡା ପଞ୍ଚାୟତ ଅଫିସ ଠାରେ ମିଶନ ଇନ୍ଦ୍ରଧନୁଷ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟାୱରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ମାସ ଚାଲିବ। ପ୍ରତି ମାସରେ ୬ ଦିନ ଯଥା ସେପ୍ଟେମ୍ବର ମାସ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ, ଅକ୍ଟୋବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓ ନଭେମ୍ବର ମାସ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ। ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକରେ ସ୍ୱତନ୍ତ୍ର ଟୀକାଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ କରାଯାଇଅଛି। କୁଜଙ୍ଗ ବ୍ଲକରେ ୧୦୬ ଟି କେନ୍ଦ୍ର, ଏରସମା ବ୍ଲକରେ ୪୫ ଟି କେନ୍ଦ୍ର ତିର୍ତ୍ତୋଲ ବ୍ଲକରେ ୭୨ ଟି କେନ୍ଦ୍ର, ନାଉଗାଁ ବ୍ଲକରେ ୨୮ଟି କେନ୍ଦ୍ର, ଜଗତସିଂହପୁର ବ୍ଲକରେ ୯୫ଟି କେନ୍ଦ୍ର, ଜଗତସିଂହପୁର ମ୍ୟୁନିସିପାଲିଟିରେ ୧୦ଟି କେନ୍ଦ୍ର, ବିରିଡି ବ୍ଲକରେ ୫୨ଟି କେନ୍ଦ୍ର, ବାଲିକୁଦା ବ୍ଲକରେ ୬୬ଟି କେନ୍ଦ୍ର, ରଘୁନାଥପୁର ବ୍ଲକରେ ୬୭ଟି କେନ୍ଦ୍ର, ପାରାଦ୍ୱୀପ ସହରାଞ୍ଚଳରେ ୨୮ଟି କେନ୍ଦ୍ର ଯୋଜନା କରାଯାଇଅଛି। ଜିଲ୍ଲାରେ ସମୁଦାୟ ୫୬୯ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର କରାଯାଇଅଛି।
ମୋଟ ୩୮୧ ଜଣ ଗର୍ଭବତୀ ମହିଳା ଓ ୩୧୩୭ ଜଣ ଜନ୍ମରୁ ୨ ବର୍ଷ ପିଲା, ୧୦୧ ଜଣ ୨ ବର୍ଷରୁ ୫ ବର୍ଷ ବୟସର ପିଲାଙ୍କୁ ଟୀକାକରଣ କରାଯିବାର ଯୋଜନା ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି କେନ୍ଦ୍ରମାନଙ୍କରେ ୧୬୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ନିମନ୍ତେ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା ନିୟମିତ ଟୀକା ସବୁ ନେଇନଥିବା କିମ୍ବା ବାକି ରହିଯାଇଥିବା ପିଲାମାନଙ୍କୁ ଟୀକା ଦେବା ଏବଂ ମିଳିମିଳା ଓ ରୁବେଳା ଭଳି ରୋଗକୁ ଦେଶରୁ ନିର୍ମୂଳ କରିବା ମିଶନ ଇନ୍ଦ୍ରଧନୁଷ ୫.୦ ଏକ ପ୍ରୟାସ ଅଟେ।
ଏହି ଅଭିଯାନରେ ଗର୍ଭବତୀ ମହିଳା ଏବଂ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇନଥିବା ବାକି ଟୀକା ସବୁ ନେବାପାଇଁ ଏହି ସ୍ୱତନ୍ତ୍ର ଟୀକାକରଣ ଅଧିବେଶନର ଆୟୋଜନ ଓ ଏହା ସହ ପିଲାର ଡିଜିଟାଲ ଟୀକାକରଣ କାର୍ଡ ପ୍ରସ୍ତୁତ କରାଯିବ। ଏହି ଟୀକା ସବୁ ସୁରକ୍ଷିତ ଅଟେ ଓ ଏହା ପିଲାକୁ ରୋଗ ଦାଉରୁ ରକ୍ଷା କରେ।
ଏହି ଉଦଘାଟନ ସମାରୋହରେ ଜିଲ୍ଲାସ୍ତରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ କ୍ଷେତ୍ରବାସୀ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରମୋଦ କୁମାର ବାରିକ, ସମିତି ସଭ୍ୟା ଦେବଜାନୀ ଦାସ ଓ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଡିଡିଏମ ଜ୍ୟୋତିରଞ୍ଜନ ପରିଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି, ଆଇସିଏ ରାକେଶ କୁମାର ପତି, ଡିଭିଏଲଏମ୍ ପାର୍ଥସାରଥୀ କରଶର୍ମା, ଆସିଷ୍ଟାଣ୍ଡ ମ୍ୟାନେଜର ସ୍ୱସ୍ତି ମହାନ୍ତି, ସିସିଟି ମନୋରଞ୍ଜନ ମହାପାତ୍ର, ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡ଼ଃ ସୁରେଶ କୁମାର ଲେଙ୍କା, ବିପିଏମ୍ ଦୁଷ୍ମନ୍ତ କୁମାର ସ୍ୱାଇଁ, ପିଏଚଇଓ ସୁବ୍ରତ କୁମାର ମହାପାତ୍ର, ସ୍ୱାସ୍ଥ୍ୟକର୍ମୀ ସିଂଧାରାଣୀ ଷଡ଼ଙ୍ଗୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀଙ୍କ ସମେତ ଜିଲ୍ଲା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।