ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ କ୍ରୀଡ଼ାବିତ୍: ଅତିରିକ୍ତ ଜିଲାପାଳ
କେନ୍ଦ୍ରାପଡ଼ା, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା କ୍ରୀଡ଼ା ବିଭାଗ ଓ ହକି ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶ, କ୍ରୀଡ଼ା ପ୍ରତି ତାଙ୍କର ସମର୍ପଣଭାବ ଓ ପ୍ରତିବଦ୍ଧତା ଗୁଣକୁ ପାଥେୟ କରି କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତି ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଉପସ୍ଥିତ ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀଙ୍କୁୁ ଆହ୍ୱାନ୍ ଦେଇଥିଲେ । ଜୀବନରେ କ୍ରୀଡ଼ାର ଆବଶ୍ୟକତା ଓ କ୍ରୀଡ଼ାବିତ୍ଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ପାଇଁ ଉଦ୍ଧିଷ୍ଟ ଏହି ଦିବସରେ ସମସ୍ତେ ଫିଟ୍ ରହିବା ପାଇଁ ସଙ୍କଳ୍ପ ନେଇଥିଲେ ।
ଏହି ଅବସରରେ ଆୟୋଜିତ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶ୍ରୀ ମହାପାତ୍ର । କଲେକ୍ଟୋରେଟ୍ ରୁ ବାହାରିଥିବା ଏହି ରାଲି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲା । ଏହି ଦିବସ ପାଳନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଅକ୍ମଲ୍ ଅଲ୍ଲୀ, ହକି ଆସୋସିଏସନ୍ର କର୍ମକର୍ତର୍ା, ବିଭିନ୍ନ ସ୍କୁଲ କଲେଜ୍ ର ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ଜିଲା ପ୍ରଶାସନର କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।