ଭୁବନେଶ୍ୱର, ୧୭/୦୮/୨୦୨୩ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚ୍ଚୀବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ଆଇସିଏଆର୍-ସିଫା), କୌଶଲ୍ୟାଗଙ୍ଗକୁ ଗତ ୧୬ ତାରିଖ ଦିନ ପରିଦର୍ଶନରେ ଆସି ଜଳକୃଷି କ୍ଷେତ୍ରର ହିତାଧିକାରୀ ମାନଙ୍କ ସହ ଏକ ବୈଠକ କରିଥିଲେ । ସିଫାର ନିର୍ଦ୍ଧେଶକ ଡଃ ପି. କେ. ସାହୁ ସିଫାର ପ୍ରଯୁକ୍ତି ଉନ୍ନୟନ ଓ ବାଣିଜ୍ୟକରଣ ସମ୍ବନ୍ଧରେ ଆଲୋକପାତ କରି ପ୍ରୟୋଗ ବିଜ୍ଞାନର କ୍ଷେତ୍ର ପ୍ରଦର୍ଶନ କରି ସିଫା ସଫଳତା ହାସଲ କରିଛି ବୋଲି କହିଥିଲେ । କୌଶଲ୍ୟାଗଙ୍ଗସ୍ଥିତ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ବରିଷ୍ଠ କାର୍ଯ୍ୟନିର୍ବାହୀ ଡଃ ଏମ୍. କେ. ସିହ୍ନା ଏନଏଫଡି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବତାରଣା କରିଥିଲେ । ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଧେଶକ ଶ୍ରୀସାଦିକ ଆଲମ ଓଡିଶାରେ ମତ୍ସ୍ୟ ଚାଷ ଓ ଜଳକୃଷିର ସ୍ଥିତି ଉପରେ ଆଲୋଚନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଡଃ ଲିଖି ମାଛଖାଦ୍ୟ ଉତ୍ପାଦକ, ସାମୁଦ୍ରିକ ଖାଦ୍ୟ ରପ୍ତାନୀ କେନ୍ଦ୍ର, ଉଚ୍ଚମାନର ବହୁଗୁଣିତ ଏକକ/ୟୁନିଟ, ବାୟୋଫ୍ଲକ ହିତାଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ କ୍ଲବ୍ ର ସଦସ୍ୟ ମାନଙ୍କ ସହ ଭାବ ବିନିମୟ କରିଥିଲେ ।
ଏହି ଅବସରରେ ଉପସ୍ଥିତ ହିତାଧିକାରୀ ଅଂଶୀଦାରମାନେ ସିଫା ଠାରୁ ପାଇଥିବା ସାହାଯ୍ୟ ଓ ସହଯୋଗ ସମ୍ବନ୍ଧରେ ଅବତାରଣା କରିଥିଲେ । ଡଃ ଲିଖି ତାଙ୍କ ଅଭିଭାଷଣରେ ଜାତୀୟ ସ୍ତରରେ ରଂଗୀନ ମାଛ ଚାଷ ଓ ମୁକ୍ତା ଚାଷ ଉପରେ ହିତାଧିକାରୀ ପରାମର୍ଶ ସଭା, ମହିଳା ହିତାଧିକାରୀଙ୍କୁ କୁଶଳୀ କରିବା, ବାୟୋଫ୍ଲକ୍ ଓ ଆକ୍ୱାପନିକ୍ସ ପ୍ରଯୁକ୍ତି, ଆଇ.ଓ.ଟି. ଓ ଏ.ଜେ. ଆଧାରିତ ଜଳ କୃଷିକୁ ପରିବର୍ଦ୍ଧିତ କରିବାକୁ କହିଥିଲେ ।
ପରେ ପରେ ଡଃ ଲିଖି ସିଫାର କ୍ଷେତ୍ର ପରିଦର୍ଶନ କରିବା ସହ କ୍ୟାଟଫିସ୍ ଚାଷନିମନ୍ତେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନଙ୍କ ସହ ଭାବବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଫାରୀ ପ୍ରଧାନ ବୈଜ୍ଞାନିକ ତଥା ଫିସଜେନେଟିକ୍ସ ଏଣ୍ଡ୍ ବାୟୋଟେକ୍ନୋଲୋଜି ବିଭାଗ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ସଂଯୋଜନା କରିଥିଲେ ।