– ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ ପକ୍ଷରୁ ସମୟ ପୂର୍ବରୁ ସବୁ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ର ସର୍ତ୍ତ ପୂରଣ
– ଦେଶର ୨୨ ଟେଲିକମ୍ ସର୍କଲ୍ରେ ଜିଓ ଗ୍ରାହକମାନେ ଏବେ ୨୬ ଗିଗାହର୍ଜ ଏମ୍ଏମ୍ ୱେଭ ବିଜନେସ୍ କନେକ୍ଟିଭିଟି ସେବା ବ୍ୟବହାର କରିପାରିବେ
– ବିଶ୍ୱର ପ୍ରଥମ ବ୍ୟାବସାୟିକ ଏଫ୍ଆର୍-୨ ଷ୍ଟାଣ୍ଡ୍ଏଲୋନ୍ ଏମ୍ଏମ୍ ୱେଭ ପ୍ରଯୁକ୍ତିର ଶୁଭାରମ୍ଭ
– ବ୍ୟାଙ୍କିଙ୍ଗ୍, ଶିକ୍ଷା, ସ୍ୱାସ୍ଥ୍ୟ ଓ ସରକାରୀ ସଂସ୍ଥାଗୁଡ଼ିକ ସହିତ ଅନ୍ୟ ଉଦ୍ୟୋଗ ଏହାକୁ ବ୍ୟବହାର କରିବା ଆରମ୍ଭ କରିବେ
– ଏହା ହେଉଛି ସ୍ୱଦେଶୀ ଭାବେ ବିକାଶ କରାଯାଇଥିବା ୫ଜି ମିଲିମିଟର ୱେଭ ପ୍ରଯୁକ୍ତି, ଯାହା ଦ୍ୱାରା ଇଣ୍ଟରନେଟ ସ୍ପିଡ୍ ବଢ଼ିବ ଓ ବ୍ରଡ୍ବ୍ୟାଣ୍ଡ୍ ସେବା ମଧ୍ୟ ଉନ୍ନତ ହେବ
– ଏଥିରେ ୨ ଜିବିପିଏସ୍ର ଅଲ୍ଟ୍ରା-ହାଇ ସ୍ପିଡ୍ ମିଳୁଛି
– ଜିଓ ଦ୍ରୁତ ଗତିରେ ୫ଜି ସେବାର ସମ୍ପ୍ରସାରଣ କରୁଛି ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ
ଭୁବନେଶ୍ୱର, ୧୬/୦୮/୨୦୨୩ (ଓଡ଼ିଶା ସମାଚାର)-ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରେ ସବୁ ଲାଇସେନ୍ସ ସେବା କ୍ଷେତ୍ରରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି । ୨୦୨୩ ଅଗଷ୍ଟ ୧୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ପେକ୍ଟ୍ରମ୍ ନେବା ବେଳେ ଜିଓ ପ୍ରତିଶ୍ରୁତି ଦେଇଥିଲା । ସେହି ଲକ୍ଷ୍ୟକୁ ସମୟ ସୀମା ଶେଷ ହେବା ପୂର୍ବରୁ ଜିଓ ହାସଲ କରିଛି ।
୨୦୨୩ ଜୁଲାଇ ୧୯ରେ ଏହି ଆବଶ୍ୟକତାର ପ୍ରଥମ ପର୍ଯ୍ୟାୟକୁ ଜିଓ ପୂରଣ କରିଥିଲା ଏବଂ ଅଗଷ୍ଟ ୧୧ରେ ଟେଲିକମ୍ ବିଭାଗ ପକ୍ଷରୁ ସବୁ ସର୍କଲ୍ରେ ତାହାର ପରୀକ୍ଷଣ କରାଯାଇଥିଲା ।
ଲୋ ବ୍ୟାଣ୍ଡ୍, ମିଡ୍ ବ୍ୟାଣ୍ଡ୍ ଓ ଏମ୍ଏମ୍ ୱେଭ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ର ସମିଶ୍ରଣକୁ ଜିଓ ହାସଲ କରିଛି ଏବଂ ସମୃଦ୍ଧ ଫାଇବର୍ ନେଟ୍ୱର୍କ ଓ ସ୍ୱଦେଶୀ ପ୍ରଯୁକ୍ତିରେ ପ୍ରସ୍ତୁତ ନେଟ୍ୱର୍କକୁ ଯୋଡ଼ାଯାଇଥିବାରୁ ସମସ୍ତ ନାଗରିକଙ୍କ ପାଖରେ ୫ଜି ସେବା ଉପଲବ୍ଧ କରାଇବା ଲାଗି ଜିଓ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ତାହା ସହାୟକ ହେବ ।
ଜିଓର ସ୍ପେକ୍ଟ୍ରମ୍ ଉପସ୍ଥିତି ସାରା ଦେଶରେ ସବୁଠୁ ଦୃଢ଼ । ମିଲିମିଟର ୱେଭ (୨୬ ଗିଗାହର୍ଜ) ବ୍ୟାଣ୍ଡ୍ରେ ଜିଓ ପାଖରେ ସମସ୍ତ ୨୨ ସର୍କଲ୍ରେ ୧୦୦୦ ମେଗାହର୍ଜ ଉପଲବ୍ଧ ରହିଛି । ଏହା ଜରିଆରେ ଜିଓ ବ୍ୟବସାୟିକ ତଥା ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ଦମଦାର ସେବା ପ୍ରଦାନ କରିପାରିବ ଏବଂ ଏଥି ସହିତ ଉଚ୍ଚ କୋଟିର ଷ୍ଟ୍ରିମିଂ ସେବା ମଧ୍ୟ ପ୍ରଦାନ କରିପାରିବ ।
ଦୁନିଆର ସବୁଠୁ ଦ୍ରୁତ ଗତିର ୫ଜି ସେବା ଶୁଭାରମ୍ଭ କାର୍ଯ୍ୟକୁ ସଫଳ କରିବା ଲାଗି ଜିଓର ଇଞ୍ଜିନିୟରମାନେ ଦିନରାତି କାମ କରୁଛନ୍ତି । ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ “ଆଜାଦୀ ର ଅମୃତକାଳ’ରେ ଜିଓ ପକ୍ଷରୁ ଦେଶବାସୀଙ୍କ ପ୍ରତି ଏମ୍ଏମ୍ ୱେଭ ଆଧାରିତ ଜିଓ ଟ୍ରୁ-୫ଜି ବିଜନେସ୍ କନେକ୍ଟିଭିଟି ସେବାକୁ ସମର୍ପିତ କରାଯାଉଛି ।
ଜିଓର ବିଶ୍ୱାସ ରହିଛି ଯେ ଏମ୍ଏମ୍ ୱେଭ ସ୍ପେକ୍ଟ୍ରମ୍ ସହିତ ଷ୍ଟାଣ୍ଡ୍ ଏଲୋନ୍ ପ୍ରଯୁକ୍ତିକୁ ନେଇ ଏହା ଲକ୍ଷ ଲକ୍ଷ କ୍ଷୁଦ୍ର, ମଧ୍ୟମ ଓ ବଡ଼ ସଂସ୍ଥାଗୁଡ଼ିକୁ ୫ଜିର ବ୍ୟବସାୟିକ ସଂଯୋଗ ପ୍ରଦାନ କରିପାରିବ ।
ଏହି ଅବସରରେ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀ ଆକାଶ ଅମ୍ବାନି କହିଛନ୍ତି ଯେ, “ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରିବା ଲାଗି ଭାରତ ସରକାର, ଟେଲିକମ୍ ବିଭାଗ ଓ ଦେଶର ୧୪୦ କୋଟିରୁ ଅଧିକ ଲୋକଙ୍କୁ ଆମେ ପ୍ରତିଶ୍ରୁତି ଦେଇଥିଲୁ । ଆଜି ଆମେ ଗର୍ବର ସହିତ କହିପାରିବୁ ଯେ ଦୁନିଆର ସବୁଠୁ ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରି ଆମେ ଭାରତକୁ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛୁ । ଏଥି ସହିତ ଆମେ ୫ଜିର ସମ୍ପ୍ରସାରଣ ସର୍ତ୍ତକୁ ପୂରଣ କରିବାର ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିଛୁ ।
ଗତବର୍ଷ ଅଗଷ୍ଟ ୫ରେ ଆମକୁ ୫ଜି ସ୍ପେକ୍ଟ୍ରମ୍ ମିଳିଥିଲା । ସେହି ଦିନଠାରୁ ଆମ ଟିମ୍ ଦିନରାତି କାମ କରି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର କୋଣ ଅନୁକୋଣରେ ଥିବା ସବୁ ନାଗରିକଙ୍କ ପାଖରେ ୫ଜି ସେବା ପହଞ୍ଚାଇବା ଉଦ୍ୟମ କରୁଛି । ଏହା ହେଉଛି ଦୁନିଆର ସବୁଠୁ ଦ୍ରୁତ ଗତିର ୫ଜି ସେବା ଶୁଭାରମ୍ଭ ଯାହା ଭାରତକୁ ବିଶ୍ୱ ୫ଜି ମାନଚିତ୍ରରେ ଏକ ଅଗ୍ରଣୀ ସ୍ଥାନ ପ୍ରଦାନ କରିବ ।
୫ଜି ଏମ୍ଏମ୍ ୱେଭର ଅର୍ଥ ହେଉଛି ଅଧିକ ବ୍ୟାଣ୍ଡ୍ୱିଡ୍ଥ ଓ କମ୍ ଲାଟେନ୍ସି । ମୋଟ ଉପରେ ଏହା ହେଉଛି ଏକ ଉତ୍ତମ ଇଣ୍ଟରନେଟ ଅନୁଭବ । ନୂତନ ପ୍ରଯୁକ୍ତି ଓ ଅତ୍ୟାଧୁନିକ ଆପ୍ ଉପରେ କାମ କରୁଥିବା ଉଦ୍ୟୋଗ ଏବେ ହୃଦୟଙ୍ଗମ କରିପାରିବେ ଯେ ଜିଓ ଏବେ ଯେଉଁ ଅନୁଭବ ପ୍ରଦାନ କରୁଛି ପୂର୍ବ ନେଟ୍ୱର୍କ ତାହା ସହ ତୁଳନୀୟ ନଥିଲା । ଏମ୍ଏମ୍ ୱେଭ ସମାଧାନରେ ଲିଜ୍ ଲାଇନ୍ ସେବା ବ୍ୟବସାୟରେ ବୃଦ୍ଧି ଘଟିବ, କାରଣ ଜିଓ ଉନ୍ନତ ଫିକ୍ସଡ୍ ଲାଇନ୍ ସେବା ପ୍ରଦାନ କରି ଲକ୍ଷ ଲକ୍ଷ ଛୋଟ ଓ ମଧ୍ୟମ ଉଦ୍ୟୋଗକୁ ଦୃଢ଼ ସଂଯୋଗ ଓ ଦମଦାର ପ୍ରଦର୍ଶନର ଶୁଭାରମ୍ଭ କରିବ । ଆପଣମାନେ ଏହା ଜାଣି ଖୁସି ହେବେ ଯେ ଏହି ସ୍ପେକ୍ଟ୍ରମ୍ ୨ ଜିବିପିଏସ୍ର ଅଲ୍ଟ୍ରା ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ପ୍ରଦାନ କରିବ ।’’