ଅଡ଼ିସନ୍ ରେ ଯୋଗ୍ୟ ବିବେଚିତ ସମସ୍ତ କଳାକାରଙ୍କୁ ଭତା ଦାବି
କେନ୍ଦ୍ରାପଡ଼ା, ୧୦/୦୭/୨୦୨୩ (ଓଡ଼ିଶା ସମାଚାର)-ଇଛାପୁରସ୍ଥିତ ସିଦ୍ଧ ବଳଦେବ ଜୀଉ ମନ୍ଦିର ପରିସର ରେ ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅନୁଷ୍ଠାନର ସଭାପତି ନବଘନ ନାୟକ ପୌରୋହିତ୍ୟ କରିଥିବାବେଳେ ଏଥିରେ ମହାକାଳପଡ଼ା, ଗରଦପୁର,ମାର୍ଶାଘାଇ , କେନ୍ଦ୍ରାପଡ଼ା ବ୍ଲକ୍ ର କାର୍ଯ୍ୟକାରଣି ସଦସ୍ୟମାନେ ଯୋଗଦେଇ ଆଷଲାଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି ବୈଠକରେ କଳାକାର ଭତା ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୨୦୨୨ ମସିହା ଡ଼ିସେମ୍ବର ମାସରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଚୟନ ପାଇଁ ପ୍ରତି ବ୍ଲକ୍ ରେ ଅଡ଼ିସନ୍ କରାଯାଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଯୋଗ୍ୟ କଳାକାର ମାନଙ୍କୁ କଳାକାର ଭତା ପ୍ରଦାନ କରାଯିବାକୁ ସରକାର ଓ ପ୍ରଶାସନ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏତଦ ବ୍ୟତିତ ଆସନ୍ତା ଇନ୍ଦ୍ର ପୂର୍ଣ୍ଣିମା ରେ ଶ୍ରୀମଦ ଭାଗବତ ଙ୍କ ଜନ୍ମୋତ୍ସବ ପ୍ରତି କିର୍ତନ ମଣ୍ଡଳୀ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଦିବସରେ ଭାଗବତ ଜନ୍ମୋତ୍ସବ ସହିତ ପ୍ରତ୍ୟେକ କଳାକାର ନିଜ ନିଜ ବାଡ଼ି ବଗିଚାରେ ଔଷଧିୟ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥି ସହିତ କାର୍ଯ୍ୟରତ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଥିବାରୁ ସଂଘ ତରଫରୁ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ପ୍ରତି ସଂକିର୍ତନ ମଣ୍ଡଳୀକୁ ନାମ ଟୁଙ୍ଗି / ଭଗବତ ଟୁଙ୍ଗି /କୋଠ ଘର / ଆଖଡ଼ା ଶାଳ ନିର୍ମାଣ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୈଠକରେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଆଧ୍ୟାତ୍ମିକ ଉତ୍ସାସରେ ଭରପୁର ସଂକିର୍ତନରେ ବାହାର ଅପ ସଂସ୍କୃତି ରୁ ମୁକ୍ତ ରଖି ସଂକିର୍ତନର ଆଧ୍ୟାତ୍ମିକ ଭାବ ଓ ଲୟ ଅତୁଟ ରଖିବାକୁ ସଂକିର୍ତନ କଳାକାର ମାନଙ୍କୁ ସଚେତନ କରାଇବା ପାଇଁ ସ୍ଥିର କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ବୈକୁଂଠ ଚରଣ ନାୟକ, ଅନ୍ୟତମ ଉପସଭାପତି ଯୁଧିଷ୍ଠିର ଦାସ, ସମ୍ପାଦକ ନିଶାମଣି ନନ୍ଦି, କାର୍ଯ୍ୟକାରିଣୀ ସଦସ୍ୟ କୈଳାଶ ଚନ୍ଦ୍ର କର , ରତ୍ନାକର ସ୍ୱାଇଁ, ଅଭୟ କୁମାର ସତପଥି, ଉଦ୍ଧବ ଚରଣ ସାମଲ, ଜୟଦେବ ସାହୁ, ତପନ ବାବା , ଅଭିରାମ ସାମଲ, ମିନତୀ ମହାନ୍ତି, ଉଦୟ କୁମାର ନାଥ ପ୍ରମୁଖ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ ।