ଭୁବନେଶ୍ୱର,୧୦/୦୬/୨୦୨୩ (ଓଡ଼ିଶା ସମାଚାର)- ଅଜଣା ଦୁର୍ବୃତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗୁଳିମାଡରେ ଆହତ ହେବା ପରେ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଠିଆ ହୋଇଥିବା ବେଳେ ଏକ ପିକଅପ୍ ଭ୍ୟାନରେ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ଼ କରିଥିଲେ । ତାଙ୍କ ହାତ, ଛାତି ଓ ପିଠିରେ ଗୁଳି ବାଜିଥିଲା ।
ଏକ ପିକ୍ ଅପ୍ ଭ୍ୟାନ ରେ ଏକାଧିକ ଯୁବକ ଆସି ସୋମନାଥଙ୍କୁ ଅତି ନିକଟରୁ ୫ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲେ। ଗୁରୁତର ସୋମନାଥଙ୍କୁ ପ୍ରଥମେ ଖୋର୍ଦ୍ଧା ସଦର ମହକୁମାସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭୁବନେଶ୍ୱରରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୋମନାଥ ବିରୁଦ୍ଧରେ ନିଶା କାରବାର, ବେଆଇନ୍ ଭାବେ ବନ୍ଧୁକ ରଖିବା, ଦୁଷ୍କର୍ମ ଆଦି ପୁରୀ ଓ ଖୋର୍ଦ୍ଧା ଗ୍ରାମାଂଚଳରେ ମୋଟ୍ ୧୪ ଟି ମାମଲା ରହିଛି ।