ଭୁବନେଶ୍ୱର,୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ରାଜନୀତିରେ ହଠାତ୍ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି । ମନ୍ତ୍ରୀ ମଣ୍ଡଳରୁ ରୋହିତ ପୂଜାରୀ ବାଦ୍ ପଡ଼ିଛନ୍ତି । ରୋହିତ ପୂଜାରୀ ଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରୋହିତ ପୂଜାରୀ ଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି ।

ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦିଆଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ରୋହିତ ପୂଜାରୀ ୨୦୨୨ ଜୁନ ୫ ତାରିଖରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ।ସୂଚନା ଅନୁସାରେ ସେ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ୨୦୧୪ରେ ବିଜେଡି ଟିକେଟରୁ ପ୍ରଥମ ଥର ପାଇଁ ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ ରୋହିତ ।

ଏହା ପରେ ୨୦୧୯ରେ ମଧ୍ୟ ଲଗାତର ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ସେ । ତେବେ ୨୦୨୨ ଜୁନ୍ ୫ରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ରୋହିତ ପୂଜାରୀ । ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ୟ୍ୟନ୍ତ ସ୍ଥିର ହୋଇନଥିବା ବେଳେ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ। ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟ ପକ୍ଷରେ ଖାଦ୍ୟ ଓ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଅତନୁ ସବ୍ୟସାଚୀ ନାୟକ ଙ୍କୁ ଉଚ୍ଚଶିକ୍ଷା ବିଭାଗ ର ଅତିରିକ୍ତ ଦାୟିତ୍ୱ ଦିଆଯଇଛି।