ଖୋର୍ଦ୍ଧା/ ଭୁବନେଶ୍ୱର, ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ଛକରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଗୁଳିକାଣ୍ଡରେ ଗୁରୁତର ଆହତ ଯୁବକ ଜଣକ ସୋମନାଥ ଭୁଜବଳ ବୋଲି ଜଣାପଡ଼ିଛି। ଏକ ପିକ୍ ଅପ୍ ଭ୍ୟାନ ରେ ଏକାଧିକ ଯୁବକ ଆସି ସୋମନାଥଙ୍କୁ ଅତି ନିକଟରୁ ୫ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଛନ୍ତି। ଗୁରୁତର ସୋମନାଥଙ୍କୁ ପ୍ରଥମେ ଖୋର୍ଦ୍ଧା ସଦର ମହକୁମାସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୋମନାଥଙ୍କର ଡାହାଡ ପଟ ପେଟରେ, ଛାତି ତଳେ ଏବଂ ଡାହାଣ ହାତରେ ଗୁଳି ବାଜିଛି। ଆହତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି। ରକ୍ତ ଜୁଡୁବୁଡୁ ଥିବା ଶରୀରର ଆଉ କେଉଁଠି ଗୁଳି ରହିଛି ତାହା ଜଣାପଡ଼ିନି। ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ଏସ୍ ପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତଦନ୍ତ କାର୍ୟ୍ୟ ରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି। ଆହତ ଯୁବକ ସୋମନାଥ ଭୁଜବଳ ଧଳାଜହର (ବ୍ରାଉନସୁଗର) ବେପାରୀଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ନିଶା କାରବାରରୁ ସେ ଅର୍ଜନ କରିଥିବା ବିପୁଳ ସମ୍ପତ୍ତିକୁ ଖୋର୍ଦ୍ଧା ପୁଲିସ ପୂର୍ବରୁ ଜବତ କରିଥିଲା।
ସୋମନାଥ ନାମରେ ଏକାଧିକ ମାମଲା ଥିବା ବେଳେ କିଛି ମାସ ପୂର୍ବରୁ ସେ ଜେଲରୁ ବାହାରିଥିଲା। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ ପୁଲିସ ୩ ଟି ଖୋକା ଜବତ କରିଛି । ରାତି ପ୍ରାୟ ୧୦ ଟା ବେଳେ ସୋମନାଥ ତାର ଦୁଇ ସାନ ଭାଇଙ୍କୁ ସାଙ୍ଗରେ ନେଇ ଏକ ବାହାଘର ଭୋଜି ଖାଇବାକୁ ଯାଉଥିଲେ । ଠେଙ୍ଗାହାଟ ଦୋଳ ପଡ଼ିଆ ନିକଟରେ ଏକ ଦୋକାନରୁ ଏକ ଲଫାପା କିଣିଥିଲେ । ଏହି ସମୟରେ ସୋମନାଥ ର ମୋବାଇଲ କୁ ଏକ କଲ ଆସିଥିଲା । ବାଣ ଓ ବାଜା ଶବ୍ଦରେ କଥା ନଶୁଣାଯିବାରୁ ସେ ଦୋକାନ କଡ଼କୁ ଯାଇ ମୋବାଇଲ ରେ କଥା ହୋଇଥିଲେ । ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ରେ କିଛି ଦୁର୍ବୃତ ପହଂଚି ସୋମନାଥ ଉପରକୁ ଆଖିବୁଜା ଗୁଳି ମାଡ଼ କରି ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ପଳାଇ ଯାଇଥିଲେ । ବାଣ ଓ ବାଜା ଶବ୍ଦରେ ସୋମନାଥ ପ୍ରଥମେ କିଛି ଜାଣିପାରିନଥିଲା । ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ସୋମନାଥ ଦୌଡ଼ିବାରୁ ଗୁଳିମାଡ଼ ହୋଇଛି ବୋଲି ଲୋକମାନେ ଜାଣିବାକୁ ପାଇଲେ । ରକ୍ତ ଜୁଡ଼ୁ ବୁଡ଼ୁ ଗୁରୁତର ଅବସ୍ଥାରେ ସୋମନାଥକୁ ଜିଲା ହସପିଟାଲରେ ଭର୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୋମନାଥ ବିରୁଦ୍ଧରେ ନିଶା କାରବାର, ବେଆଇନ୍ ଭାବେ ବନ୍ଧୁକ ରଖିବା, ଦୁଷ୍କର୍ମ ଆଦି ପୁରୀ ଓ ଖୋର୍ଦ୍ଧା ଗ୍ରାମାଂଚଳରେ ମୋଟ୍ ୧୪ ଟି ମାମଲା ରହିଛି ।