କେନ୍ଦ୍ରାପଡ଼ା, ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମକୁ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରରେ ରାଜ୍ୟ କନଭେନସନ ସେଂଟରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଆମାତ୍ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାର ଗରାପୁର ଶିବାନନ୍ଦ ଆଶ୍ରମକୁ ‘ପ୍ରକୃତିମିତ୍ର ପୁରସ୍କାର’ ପ୍ରଦାନ ଲରିଥିଲେ । ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତିନିଧି ଭାବେ ବ୍ରହ୍ମଚାରୀ ନୃସିଂହ ଦାସ ମନ୍ତ୍ରୀ ଶ୍ରୀ ଅମାତ୍ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଉତ୍ସବରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିଦ୍ଧାନ୍ତ ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସ୍ୱତନ୍ତ୍ର ଶାସନ ସଚିବ ଡଃ. କେ. ମୁରୁଗେସନ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ସମ୍ମାନ ପାଇଁ ଶ୍ରୀମା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।