Friday , September 22 2023
Breaking News
Home / ରାଜନୀତି / କେନ୍ଦ୍ରାପଡା ଜିଲା ବିଜେଡି କାର୍ଯ୍ୟକାରୀଣୀ ବୈଠକ

କେନ୍ଦ୍ରାପଡା ଜିଲା ବିଜେଡି କାର୍ଯ୍ୟକାରୀଣୀ ବୈଠକ

ବିଜେଡି ଜିଲା ସଭାପତିଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ବିଧାୟକଙ୍କୁ ଗାଳିଗୁଲଜ
ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଅନୁପସ୍ଥିତ
କେନ୍ଦ୍ରାପଡ଼ା, ୦୭/୦୬/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବିଜେଡିର କାର୍ଯ୍ୟକାରିଣୀ ବୈଠକର ଦିନକ ପୂର୍ବରୁ ବିଜେଡି ଜିଲା ସଭାପତିଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ବିଧାୟକଙ୍କୁ ଗାଳି ଗୁଲଜ କରିବା ଘଟଣା ବିଜେଡିର ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛି । ବିଧାନସଭା ନିର୍ବାଚନ ମାତ୍ର ଆଉ କେତୋଟି ମାସ ବାକିଥିବା ବେଳେ କେନ୍ଦ୍ରାପଡା ବିଜୁ ଜନତା ଦଳରେ ଏଭଳି ଗୋଷ୍ଠି କନ୍ଦଳ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଜିଲା ବିଜେଡିର କାର୍ଯ୍ୟକାରିଣୀ ବୈଠକକୁ ନେଇ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଉତ୍କଳ କେଶରୀ କେଶରୀ ପରିଡାଙ୍କ ଗୋଷ୍ଠି ଏବଂ କେନ୍ଦ୍ରାପଡା ବିଧାୟକଙ୍କ ଗୋଷ୍ଠି ମଧ୍ୟରେ ମୁହାଁମୁହିଁଁ ପରିସ୍ଥିତିରୁ ଏଭଳି ଘଟଣାର ଆଭାସ ମିଳିଛି । ଏହା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲିଟିଛି । ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ ବୋଲି ଦଳପକ୍ଷରୁ କୁହାଯାଉଥିଲେ ମଧ୍ୟ ତାହା କେତେ ବିଶୃଙ୍ଖଳିତ ତାହା ଏଭଳି ଘଟଣାରୁ ସ୍ପଷ୍ଟ ହୋଇଛି । ବିଜୁ ପଟ୍ଟନାୟକ ଗଡ ବୋଲି କୁହାଯାଉଥିବା କେନ୍ଦ୍ରାପଡା ଜିଲାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ରାଜ୍ୟରେ ୨୩ ବର୍ଷ ବିଜେଡିର ସ୍ଥିର ସରକାର ଥିବା ସ୍ଥଳେ ବିଜେଡି ଗୋଷ୍ଠି କନ୍ଦଳ ପାଇଁ କେନ୍ଦ୍ରାପଡା ଜିଲାରେ ସେପରି କୌଣସି ବୃହତ ପ୍ରକଳ୍ପ କାର୍ଯ୍ୟକାରି ହୋଇପାରି ନାହିଁ । ଦଳୀୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିିଛି । ଏହାର କୁପ୍ରଭାବ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଉପରେ ପଡିଛି । ଏହି ବୈଠକକୁ ନେଇ ଜିଲା ବିଜେଡି ସଭାପତିଙ୍କ ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡା ବିଧାୟକଙ୍କୁ ଗତକାଲି ସନ୍ଧ୍ୟାରେ ଗାଳିଗୁଲଜ କରାଯିବା ଏବଂ ଜିଲା ସଭାପତିଙ୍କ ଉପସ୍ଥିତିରେ ଏସବୁ ହେବା ଦଳୀୟ ବିଶୃଙ୍ଖଳାକୁ ଆହୁରି ତୀବ୍ର କରିଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରସ୍ଥିତ ଏକ ଘରୋଇ ମଣ୍ଡପରେ ବୁଧବାର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଥିଲା । ସେହି ଅନୁଯାଇ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟକାରିଣୀ ବୈଠକ ନିମନ୍ତେ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବାକୁ କେନ୍ଦ୍ରାପଡା ବିଧାୟକଙ୍କୁ ପୂର୍ବରୁ ଦାୟୀତ୍ୱ ଦିଆଯାଇଥିବାରୁ ବିଧାୟକଙ୍କ ପକ୍ଷରୁ ରୋଷେଇ ସାମଗ୍ରୀ ମଣ୍ଡପକୁ ଆସିଥିବା ବେଳେ ଜିଲା ସଭାପତିଙ୍କ ଗୋଷ୍ଠି ତଥା ଦଳୀୟ ସାଂଗଠନିକ ଦାୟୀତ୍ୱରେ ଥିବା ଜନୈକ ବ୍ୟକ୍ତି ଓ ତାଙ୍କ ସମର୍ଥକମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ କେନ୍ଦ୍ରାପଡା ବିଧାୟକ ଏବଂ ଜଣେ ମନ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିଲେ । ତେଣୁ ବିଧାୟକଙ୍କ ପକ୍ଷରୁ ଆସିଥିବା ରୋଷେଇ ସାମଗ୍ରୀ ସେଠାରୁ ଫେରିଯାଇଥିଲା । ଏହି ଘଟଣା ଜିଲା ବିଜେଡି ସଭାପତି ଶ୍ରୀ ପରିଡାଙ୍କ ଉପସ୍ଥିତିରେ ଘଟିଥିଲା । କାର୍ଯ୍ୟକାରିଣୀ ବୈଠକରେ କିଏ କେଉଁ ଦାୟୀତ୍ୱ ନେବ ସେ ସମ୍ପର୍କରେ ଭୂବନେଶ୍ୱର ଠାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ଜିଲାର ଦୁଇ ମନ୍ତ୍ରୀ, କେନ୍ଦ୍ରାପଡା ବିଧାୟକ, କେନ୍ଦ୍ରାପଡା ଜିଲା ବିଜେଡି ସଭାପତି, କେନ୍ଦ୍ରାପଡା ଜିଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହି ଅନୁଯାୟୀ ଜିଲା ବିଜେଡି ସଭାପତିଙ୍କୁ ମଣ୍ଡପ ଏବଂ କେନ୍ଦ୍ରାପଡା ବିଧାୟକଙ୍କୁ ରୋଷେଇ ଦାୟୀତ୍ୱ ଦିଆଯାଇଥିଲା ବୋଲି ବିଧାୟକ ଗୋଷ୍ଠିରୁ ସୂଚନା ମିଳିଛି । ତେବେ ଏହାକୁ ନେଇ ଯେଉଁ ପରିସ୍ଥିତି ଉପୁଜିଲା ସେଥିପାଇଁ କିଏ ଦାୟୀ ? ଏହା ପଛରେ କେଉଁ ଅଦୃଶ୍ୟ ଶକ୍ତିର ନିର୍ଦ୍ଧେଶ ଅଛି ବୋଲି ବିଜେଡି କର୍ମି ମହଲରେ ଆଲୋଚନା ହେଉଛି । ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଜିଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡାଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଆଳି ବିଧାୟକ ତଥା ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ, ଜିଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ପ୍ରମୁଖ ମଂଚାସିନ ଥାଇ ଜିଲା ବିଜେଡି ସଂଗଠନକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଦଳରେ ଶୃଙ୍ଖଳା ରକ୍ଷାକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକୁ ମାନି କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମକର୍ତାଙ୍କୁ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ପରାମର୍ଶ ଦେଇଥିଲେ । ବହୁ ଆଡମ୍ବରରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ସରସତା ନଥିବାର ଦେଖିବାକୁ ମିଳିଥିଲା । ମହାକାଳପଡା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲା ବିଜେଡି ଉପ ସଭାପତି ଆଇନଜୀବୀ ଦେବଦାସ ମହାନ୍ତି, ଜିଲା ବିଜୁ ଶ୍ରମିକ ସଂଗଠନ ସଭାପତି ଦୂର୍ଗାଶିଷ ମହାନ୍ତି, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମୀତା ସେଠୀ ଓ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କେନ୍ଦ୍ରାପଡା ପୌରସଂସ୍ଥାର ଉପ ନଗରପାଳ ଆକବରୀ ଖାତୁନ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ବ୍ଲକ ମହିୁଳା ବିଜେଡି ସଭାନେତ୍ରି ସୁମିତ୍ରା ପାଢୀଙ୍କ ସମେତ କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଛାତ୍ର, ଯୁବ, ମହିଳା ସଂଗଠନର ବହୁ କର୍ମକର୍ତାଙ୍କ ସମେତ ଜିଲା ସ୍ତରୀୟ କର୍ମକର୍ତାମାନେ ଏହି ବୈଠକରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଦଳର ଜିଲା ସଭାପତିଙ୍କ ପରୋକ୍ଷ ପ୍ରରୋଚନା ବା ସମର୍ଥନରେ ଏଭଳି ଘଟଣା ଘଟିବା ଦଳର ବିଶୃଙ୍ଖଳିତ ଆଚରଣକୁ ପଦାରେ ପକାଇବା ସହିତ ଦଳକୁ ସଧାଧାରଣରେ ନିନ୍ଦିତ କରିଛି । ଏଭଳି ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରି ଦଳକୁ ବିଶେଷ କ୍ଷତି ପହଂଚାଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏଭଳି ଆଚରଣ କରିବାକୁ ତାହା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *