ମାହାଙ୍ଗା,୦୫/୦୬/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ଜଣେ ୬୧ ବର୍ଷୀୟ ବୃଦ୍ଧ ଙ୍କ ରକ୍ତ ଜୁଡ଼ୁ ବୁଡ଼ୁ ମୃତ ଦେହ ଉଦ୍ଧାର ହୋଇଛି । ରାତିରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ଜେରକନ୍ଦ ଗ୍ରାମର ଦିବାକର ବେହେରା। ଦିବାକର ବେହେରା ନିଜ ବାଡ଼ିରେ ଥିବା କୁମ୍ଭାର ଶାଳର ଏକ ଘରେ ଶୋଇ ଥିବା ଅବସ୍ଥାରେ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ବଡ଼ ପୁଅ କାଳନ୍ଦି ଚରଣ ବେହେରାଙ୍କ ମାହାଙ୍ଗା ଥାନାରେ ଅଭିଯୋଗ କରିବା ପରେ କେଶ ନଂ ୧୭୮ ବାଇ ୨୦୨୩ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ର ସହାୟତା ନିଆଯାଇଛି । ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ସାଲେପୁର ଏସଡିପିଓ ବିମଳ କୁମାର ବାରିକ ସୂଚନା ଦେଇଛନ୍ତି।
ବୃତ୍ତିରେ ଦିବାକର ଜଣେ କୁମ୍ଭାର, ଘର ମାଟିପାରିଲୋ ଗ୍ରାମରେ ହୋଇଥିବା ବେଳେ ଜେରକନ୍ଦର ଏହି ସ୍ଥାନରେ କୁମ୍ଭାର ଶାଳ କରି ନିଜ ଜୀବିକା ଅର୍ଜନ କରୁଥିଲେ । ସେଥିପାଇଁ ଦିବାକର ରାତିରେ କୁମ୍ଭାର ଶାଳ ରେ ରହନ୍ତି । ସକାଳୁ ସମ୍ପର୍କୀୟ ମାମୁଁ ସର୍ବେଶ୍ୱର ବେହେରା ପ୍ରଥମେ ସେଠାରେ ଦିବାକରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡିଥିବା ଦେଖିଥିଲେ । ତୁରନ୍ତ ତାଙ୍କ ପରିବାରକୁ ଜଣାଇଥିଲେ । ବଡ଼ ପୁଅ କାଳନ୍ଦି ଚରଣ ବେହେରା ଯାଇ ବାପାଙ୍କୁ କେହି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ସେ ତତ୍ କ୍ଷଣାତ୍ ଯାଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ହତ୍ୟା କାଣ୍ଡ ଅଭିଯୋଗ ପାଇ ଘଟଣା ସ୍ଥଳରେ ମାହାଙ୍ଗା ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ଫାଣ୍ଡି ଅଧିକାରୀ ଗୋପବନ୍ଧୁ ମଲ୍ଲିକ,ଭଦ୍ରେଶ୍ୱର ଥାନା ଭାରପ୍ରାପ୍ତ ଆଇଆଇସି ତପନ କୁମାର ନାୟକ ଓ ସାଲେପୁର ଏସଡିପିଓ ବିମଲ କୁମାର ବାରିକ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।