ମୃତ ଦେହ ଚିହ୍ନଟ ପାଇଁ ବିଏମସି ପକ୍ଷରୁ ହେଲ୍ପଲାଇନ୍ ଜାରି
ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଅନ୍ୟପଟେ ମୃତଦେହ ଚିହ୍ନଟ ଚାଲିଛି । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ କରିଛି ସମସ୍ତ ବ୍ୟବସ୍ଥା । ୪୮ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ଶେଷ ହେବ । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ଏକ ହେଲ୍ପଲାଇନ୍ ଜାରି କରାଯାଇଛି । ସମ୍ପର୍କୀୟ ୧୯୨୯କୁ ଫୋନ କରି ମୃତ ଦେହ କେଉଁଠି ରଖାଯାଇଛି ତାହା ଜାଣିପାରିବେ ।