ଟୋଲ୍ ଫ୍ରି ହେଲ୍ପ ଲାଇନ ନମ୍ବର ଜାରି
ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ବାହାନଗା ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଗତକାଲି ଅପରାହ୍ନ ସୁଦ୍ଧା ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୮୮ ଘୋଷଣା କରାଯାଇଥିବା ବେଳେ ପରେ ସନ୍ଧ୍ୟାରେ ବଗି ମଧ୍ୟରୁ ଆଉ ୧୩ ଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ହେଲେ ଅପରେସନ୍ ଶେଷ ହେବା ପରେ ଆଜି ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ସେ ଗଣମାଧ୍ୟମକୁ ଜଣାଇଛନ୍ତି କି ଦୁଘର୍ଟଣା ପରେ କେତେକ ମୃତଦେହର ‘ଡବଲ କାଉଣ୍ଟିଙ୍ଗ’ ବା ଦୁଇଥର ଗଣତି ହୋଇ ଯାଇଥିଲା । ବର୍ତ୍ତମାନ ସେ ସବୁକୁ ତନଖି କରି ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ଟି ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ହସ୍ତାନ୍ତର ହେବ । ବାକି ୧୮୭ଟି ମୃତଦେହକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ମୃତଦେହ ଚିହ୍ନଟ ଓ ଗ୍ରହଣ ଲାଗି ଟ୍ରୋଲ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଜାରି କରାଯାଇଛି। ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବରରେ କଲ କରି ପାରିବେ । ଆମର ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ । ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ତେବେ ୧୯୨୯ ଟୋଲ୍ ଫ୍ରି ନମ୍ବର କେବଳ ଓଡ଼ିଶା ଲୋକଙ୍କ ପାଇଁ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି।
https://srcodisha.nic.in/Photos%20Of%20Deceased%20with%20Disclaimer.pdf
ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି।
ଅନ୍ୟପକ୍ଷରେ କଟକ ବଡ଼ଡ଼ାକ୍ତରଖାନାର ଜେନେରାଲ ୱାର୍ଡ଼ରେ ୧୮୦ ଜଣ ଆହତ ଚିକିତ୍ସିତ ହେଉଥିବା ବେଳେ ୬ ଜଣ ଆଇସିୟୁରେ ଅଛନ୍ତି।ସୋରରେ ୩ ଜଣ, ବାଲେଶ୍ଵରରେ ୫୭ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ସୁସ୍ଥ ହୋଇ ଫେରି ଯାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।