Monday , October 2 2023
Breaking News
Home / ତାଜା ଖବର / ପ୍ରଧାନ ମନ୍ତ୍ରୀ ଓଡ଼ିଶା ଆସିବେ

ପ୍ରଧାନ ମନ୍ତ୍ରୀ ଓଡ଼ିଶା ଆସିବେ

ଭୁବନେଶ୍ବର/ ବାଲେଶ୍ବର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ୩୦୦ ପାଖା ପାଖି ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଏକ ହଜାର ଯାତ୍ରୀ ଆହତ ହୋଇଥିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ଓ ତାମିଲନାଡ଼ୁ ସରକାର ଆଜି ଦିନିକିଆ ଶୋକ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘଟଣାସ୍ଥଳକୁ ଆସୁଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ୍ କରି ଏହି ସୂଚନା ଦେଇଛି।ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ବାଲେଶ୍ବର ଜିଲ୍ଲାର ବାହାନଗାସ୍ଥିତ ଦୁର୍ଘଟଣାସ୍ଥଳକୁ ଯିବେ। ଏହା ପରେ ସେଠାରୁ ସେ କଟକ ବଡ଼ଡାକ୍ତରଖାନା ଗସ୍ତ କରି ଆହତମାନଙ୍କୁ ଭେଟିପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ କେତେବେଳେ ବାହାନଗା ଓ କଟକରେ ପହଞ୍ଚିବେ ଏନେଇ ସୂଚନା ଦିଆଯାଇ ନାହିଁ। ତେବେ ଦିନ ୨ ଟା ବେଳେ ଆସିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନ୍ ଦୁର୍ଘଟଣା ନେଇ ସମୀକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ତେବେ ମୋଦୀଙ୍କ ଅଚାନକ ଓଡ଼ିଶା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳ ଓ ଗୁରୁତରମାନଙ୍କୁ ଭେଟିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲା ପରେ ସେଠାରେ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି।ଉଦ୍ଧାର କାର୍ୟ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *