ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ଦୂର୍ଘଟଣାସ୍ଥଳର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଭୟାନକ । ଶହ ଶହ ଲୋକ ଟ୍ରେନ୍ ବଗି ତଳେ ଚାପି ହୋଇ ରହିଛନ୍ତି । ବାଲେଶ୍ୱର ଓ ଭଦ୍ରକର ସମସ୍ତ ବିଧାୟକ, ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଧେଶରେ ୫ ଜଣ ବରିଷ୍ଠ ଅଧିକାରୀ, ସ୍ୱତନ୍ତ୍ର ରିଲିଫ କମିଶନର , ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳି ମଳିକ କହିଛନ୍ତି । ମୃତ ଦେହ ଗୁଡ଼ିକ ବାହାନଗା ସ୍କୁଲ ପଡ଼ିଆରେ ରଖାଯାଉଛି । ଆସନ୍ତା କାଲି ଚିହ୍ନଟ ପ୍ରକି୍ରୟା କରାଯିବ । ମୃତ୍ୟୁ ସଂଖ୍ୟା ୧୨୦ ରୁ ଅଧିକ ହେଲାଣି । ଏହା ଅଧିକ ହେବା ଆଶଙ୍କା ରହିଥିବା ଜଣେ ପ୍ରତ୍ୟକ୍ଷ ଦର୍ଶି କହିଛନ୍ତି । ଆସନ୍ତା କାଲି ସକାଳ ୮ ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯିବେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି । କଟକ ବଡ଼ ଡ଼ାକ୍ତରଖାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପହଂଚିଛନ୍ତି ।
ଏହି ଦୂର୍ଘଟଣା ପରେ ୫ ଟି ଟ୍ରେନ୍ ବାତିଲ କରାଯାଇଛି । ପୁରୀ ଏକ୍ସପ୍ରେସ ୧୨୮୩୭, ଯଶବନ୍ତପୁର ଏକ୍ସପ୍ରେସ ୧୨୮୬୩,ସନ୍ତରାଗାଛି ପୁରୀ ସ୍ପେସାଲ ୦୨୮୩୭, ସାଲିମାର – ସମ୍ବଲପୁର ୨୦୮୩୧, ଚେନାଇ ମେଲ ୧୨୮୩୯ କୁ ରଦ୍ଧ କରାଯାଇଛି ।