ବାଲେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ଦୂର୍ଘଟଣାସ୍ଥଳରେ ପହଂଚିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେଠାରେ ଉପସ୍ଥିତ ଥିବା ରେଳ ବିଭାଗର ଅଧିକାରୀମାନେ ମନ୍ତ୍ରୀଙ୍କୁ ସମସ୍ତ ସୂଚନା ଦେଉଛନ୍ତି । ରାତି ପାହି ଦିନ ହେଲା, ମୃତ୍ୟୁ ସଂଖ୍ୟା ବଢିଲା । ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ୟ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ସେହିପରି ଆହତଙ୍କ ସଂଖ୍ୟା ୯୦୦ ପାର କରି ଏକ ହଜାର ମୁହାଁ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ୟ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି ଏସବୁ ଭିତରେ ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ କହିଥିଲେ ଯେ, ଆମ ପାଇଁ ଉଦ୍ଧାରକାର୍ୟ୍ୟ ସବୁଠୁ ବଡ ପ୍ରାଥମିକତା । ଆଜି ସାରା ରାଜ୍ୟରେ ଶୋକ ପାଳନ କରାଯିବ । ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂର୍ଘଟଣାସ୍ଥଳରେ ପହଂଚିବେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୂର୍ଘଟଣାସ୍ଥଳକୁ ଆସିବେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ପରିଲକ୍ଷିତ ହେଉଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ ଏବେ ସେଠାରେ ମୃତଦେହ ଚିହ୍ନଟ କରିବା ସହଜସାଧ୍ୟ ହେଉ ନଥିବା ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେବ ବୋଲି କୁହାଯାଉଛି।