ବାଲେଶ୍ବର/ ଭୁବନେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତମାନ ବଗି ମଧ୍ୟରୁ ଆଉ ୬ ଟି ମୃତ ଦେହ ଉଦ୍ଧାର କରାଯାଇଛି । ଆହୁରୀ ଅଧିକ ମୃତ ଦେହ ଉଦ୍ଧାର ହେବା ଆଶଙ୍କା କରାଯାଉଛି । ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୂର୍ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବାଲେଶ୍ୱର ଜିଲା ହସପିଟାଲକୁ ଯାଇ ଆହତ ମାନଙ୍କୁ ଦେଖିଥିଲେ । ଦୁଇ କେନ୍ଦ୍ର ମନ୍ତ୍ରୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ରହି ସମସ୍ତ ଉଦ୍ଧାର, ଚିକିତ୍ସା ଆଦି ବ୍ୟବସ୍ଥା କରିବାକୁ ପ୍ରଧାନ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ୟ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲେ। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ।
ଯୁବବର୍ଗ ରାତିସାରା କାମ କରିଥିଲେ। ଏଠାକାର ନାଗରିକ ଦୁର୍ଘଟଣା ପରେ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଛନ୍ତି। ସାଧାରଣ ଜନତା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ପାଇଁ ରକ୍ତଦାନ କରିଛନ୍ତି। ରେଳବାଇ ନିଜର ପୂରା ଶକ୍ତି ଲଗାଇଛି। ଯାତାୟତ କାମ ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନେଇଛି। ପୂରା ଘଟଣାସ୍ଥଳ ବୁଲିଛି। ହସ୍ପିଟାଲରେ ଆାହତଙ୍କୁ ଭେଟିଛି। ଘଟଣା ସଂପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ। ପରମାତ୍ମା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ। ଆମେ ସମସ୍ତେ ପ୍ରାଥର୍ନା କରିବା, ଦୁର୍ଘଟଣାଗ୍ରସ୍ତ ଲୋକେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଓଡ଼ିଶା ସରକାରଙ୍କ ରେସ୍କ୍ୟୁ ଅପରେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ।
ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଇଲେ ତାହାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଲେ ।
ଏହାସହ ବାଲେଶ୍ବରର ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗ ରାତିସାରା ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ରେସ୍କ୍ୟୁ ମିଶନ କରିଥିବାରୁ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇ ଶନିବାର ଅପରାହ୍ନ ସୁଦ୍ଧା ଏହି ଭୟାବହ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି । ଏବେ ବଗି ମଧ୍ୟରୁ ନଗଦ ୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଆହୁରୀ ମୃତ ଦେହ ଉଦ୍ଧାର ହେବା ଆଶଙ୍କା ଦେଖା ଦେଇଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦିଆଯାଇଥିବାବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ମୃତ ଦେହ ଉଦ୍ଧାର ଅବ୍ୟାହତ ହୋଇଛି ।
ତେବେ ବର୍ତ୍ତମାନ ମୃତଦେହ ଚିହ୍ନଟ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି । ଏନେଇ ମୁଖ୍ୟ ଶାସନ ସଚିବ, ପ୍ରଦୀପ ଜେନା କହିଛନ୍ତି ଯେ ଯେଉଁ ପର୍ୟ୍ୟନ୍ତ ପରିବାର ମୃତ ଶରୀରକୁ ଚିହ୍ନଟ କରିନାହିଁ ସେ ପର୍ୟ୍ୟନ୍ତ ଏମ୍ସ, ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ଶବ ଗୃହରେ ମୃତଦେହକୁ ରଖାଯିବ । ଏନେଇ ସମସ୍ତ କଥାବାର୍ତ୍ତା ସରିଛି । ୧୬୦ ରୁ ଅଧିକ ମୃତଦେହ କାଲି ଭୁବନେଶ୍ବରରେ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ୩୦ରୁ ୪୦ ମୃତ ଯାତ୍ରୀଙ୍କ ପରିଚୟ ମିଳିଲାଣି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ଠାବ କରାଯାଇଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି । ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ମୃତାହତଙ୍କ ସମ୍ପର୍କୀୟଙ୍କୁ ନେଇ ଆଜି ଚେନ୍ନାଇରୁ ଭଦ୍ରକ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଛି ଏହି ଟ୍ରେନର ନମ୍ବର ହେଉଛି ୦୨୮୪୦ । ଚେନ୍ନାଇ ଷ୍ଟେସନରୁ ପାସ ସଂଗ୍ରହ କରି ସମ୍ପର୍କୀୟ ଭଦ୍ରକ ଯାଏଁ ଆସିପାରିବେ । ସମ୍ପର୍କୀୟମାନେ କିଭଳି ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିଜନଙ୍କୁ ଭେଟିପାରିବେ, ସେଥିପାଇଁ ଏହି ଟ୍ରେନ ଆସୁଛି । ଆଜି ଓ କାଲି ପାଇଁ ୧୨ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୪ଟି ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଛି। ୧୮୦୩୭ ଖଡଗପୁର-ଯାଜପୁର କେନ୍ଦୁଝର ଏକ୍ସପ୍ରେସ ବାତିଲ, ହାୱାଡା-ଏର୍ନାକୁଲମ୍ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ବାତିଲ, ହାୱଡା-ଭଦ୍ରକ, ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ, ହାଇଦ୍ରାବାଦ-ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ ବାତିଲ ହୋଇଛି। କାଲି ଯାଏଁ ଯାଜପୁର କେନ୍ଦୁଝର ରୋଡ୍-ଖଡଗପୁର ଏକ୍ସପ୍ରେସ ବାତିଲ, ଚେନ୍ନାଇ-ହାୱଡ଼ା ସୁପରଫାଷ୍ଟ, ପୁରୀ-ଡେରାଡୁନ୍ ଏକ୍ସପ୍ରେସ ବାତିଲ, କାଲି ଭଦ୍ରକ-ହାୱଡା ଏକ୍ସପ୍ରେସ, ପାଟଣା-ପୁରୀ ଏକ୍ସପ୍ରେସ ବାତିଲ,ପୁରୀ-ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି। କନ୍ୟାକୁମାରୀ-ଦିବ୍ରୁଗଡ ବିବେକ ଏକ୍ସପ୍ରେସ ଟିଟିଲାଗଡ ଦେଇ ଯିବ। ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ ସମ୍ବଲପୁର ସିଟି ଦେଇ ଯିବ। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଯଖପୁରା ଦେଇ ଯିବ। ପୁରୀ-କାମାକ୍ଷା ଏକ୍ସପ୍ରେସ କଟକ-ସମ୍ବଲପୁର-ଝାରସୁଗୁଡା ଦେଇ ଯିବ।