ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କମିଶନରେଟ ପୁଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ଏହି ୧୩ ଜଣିଆ ଗ୍ୟାଙ୍ଗ୍ ରୁ ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ମହିଳାମାନେ ବୁଲି ବୁଲି ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ରଜ ବଜାରରେ ଭିଡ଼ ର ସୁଯୋଗ ନେଇ ଗ୍ରାହକ ବେଶରେ ଯାଇ ନିଜ ପିନ୍ଧା ପୋଷାକ ଭିତରେ ପୁରାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ଏସିପି ଜୋନ-୫ ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ପୋଲିସ ମାଡ଼ି ବସିଥିଲା । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ସେମାନେ ନିଆରା ଢଙ୍ଗରେ ଚୋରି କରୁଥିଲେ । ସେମାନେ ଭୁବନେଶ୍ୱରରେ ହୋଟେଲରେ ରହି ଚୋରି କରୁଥିଲେ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଦେଶର ବିଭିନ୍ନ ସହର ବୁଲି ଚୋରି କରିଥାନ୍ତି । ଲୁଟେରାମାନେ ପଶ୍ଚିମବଙ୍ଗ ହରିପୁରର ଏବଂ ନିଜ ଗାଁରେ ଚୋରି ଜିନିଷ ବିକ୍ରି କରିଥାନ୍ତି ବୋଲି କହିଛି ପୋଲିସ । ଏ ନେଇ ପଶ୍ଚିମବଙ୍ଗ ପୋଲିସ ସହିତ ଯୋଗାଯୋଗ କରାଯାଉଥିବା ସୂଚନା ।