କଟକ,୩୧/୦୫/୨୦୨୩ (ଓଡ଼ିଶା ସମାଚାର)- କଟକ ଉନ୍ନୟନ କର୍ତୃପକ୍ଷ (ସିଡିଏ) ର ୧୩୪ତମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ କଟକ ସହରରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । କଟକ ସହରର ରୂପାନ୍ତରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିଲା ବେଳେ ଆଗାମୀ ଦିନରେ ହେବାକୁ ଥିବା ଏହି ଏକାଧିକ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ସହରବାସୀଙ୍କ ଆର୍ଥôକ ସ୍ଥିତିକୁ ଅଧିକ ସୁଦୃଢ କରିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ବିଶେଷକରି କଟକ ମହାନଗର ନିଗମ (ସିଏମସି) ମେୟର ସୁବାସ ସିଂହ ଓ କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମ୍ମୁଖରେ ଜନସାଧାରଣଙ୍କ ପକ୍ଷରୁ କେତେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସକାଶେ ଯେଉଁ ଦାବି ଉପସ୍ଥାପନ କରାଯାଉଛି ସେସବୁ ଅଗ୍ରାଧିକାର ଭିତିରେ ଶେଷ କରାଯିବ । ବିଭିନ୍ନ ୱାର୍ଡରେ ମିନି ଷ୍ଟାଡିୟମ, ପାର୍କ, ଖେଳପଡିଆ ଓ ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ ଏଥିର ଅନ୍ତର୍ଭୁକ୍ତ ବୋଲି ବୋଲି ସିଡିଏ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । କଟକ ସହରରେ ୨ ଏକର ପରିମିତ ଜାଗାରେ ଖୁବ୍ ଶୀଘ୍ର ଏକ ‘ଆର୍ଟହବ୍’ ନିର୍ମାଣ କରାଯିବ । ସେଠାରେ ସୂକ୍ଷ୍ମ କାରୁକାର୍ଯ୍ୟ, ଶିଳ୍ପକଳା, ତାରକସୀ ଓ ହସ୍ତଶିଳ୍ପ ଆଦି ପ୍ରସ୍ତୁତ ଓ ବ୍ୟବସାୟକୁ ପ୍ରାଧାନ୍ୟ ଦିଆଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି ଗୋପାଳପୁରଠାରେ ଏକ ଭେଣ୍ଡିଂ ଜୋନ୍ ଓ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ମହାନଦୀବିହାରରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହ ପ୍ରେସ୍ ଛକ ଠାରେ ଥିବା ହରେକୃଷ୍ଣ ମହତାବଙ୍କର ପ୍ରତିମୂର୍ତି ସ୍ଥଳକୁ ଅଧିକ ଉନ୍ନତ କରାଯିବ । ସେହିପରି କଟକ ସହରରେ ସବୁଜ ବଳୟ ସୃଷ୍ଟି ପାଇଁ ବିପୁଳ ପରିମାଣର ଚାରା ରୋପଣ କରାଯିବ । ସେଥିପାଇଁ ସିଡିଏ କାର୍ଯ୍ୟାଳୟରେ ଏକ ହର୍ଟିକଲଚର(କୃଷି ଉଦ୍ୟାନ) ସଂପର୍କିତ ବିଭାଗ ଖୋଲିବା ପାଇଁ କର୍ତୃପକ୍ଷ ନିଷ୍ପତି ଗ୍ରହଣ କରିଛନ୍ତି । ସେହିପରି ମର୍କତନଗରସ୍ଥିତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଏକ ବୃହତ ସମ୍ମିଳନୀ କେନ୍ଦ୍ର(କନଭେନସନ୍ ସେଂଟର୍) କରାଯିବା ସକାଶେ ନିଷ୍ପତି ନିଆଯାଇଛି । ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ପୁରୁଣା ଜେଲ ପରିସରର ଉନ୍ନତିକରଣ ପାଇଁ ପ୍ରସ୍ତୁତ ବ୍ଲୁ -ପ୍ରିଣ୍ଟକୁ ମଧ୍ୟ ମଂଜୁରି ଦିଆଯାଇଛି । କଟକ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି) ମଧ୍ୟରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମିଶନ ଶକ୍ତି ମା’ମାନଙ୍କୁ ୪୦୦ ବର୍ଗଫୁଟର ଏକ ସ୍ଥାନ ଯୋଗାଇ ଦିଆଯିବ । ବିଶେଷକରି ନବନିର୍ମିତ ସିଏନବିଟିର ରକ୍ଷଣା ବେକ୍ଷଣ ପାଇଁ ବାର୍ଷିକ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଫ୍ ଓ ଜି କାଟାଗୋରୀର ଆବାସିକ ଜମି ପ୍ଲଟିଂ କରି ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି । ଏଥିମଧ୍ୟରେ କଟକ ସହରର ଆଖପାଖ ଅଂଚଳର ୧୪୫ଟି ରାଜସ୍ୱ ଗ୍ରାମକୁ ସିଡିଏର ସାମିଲ କରାଯାଇ ପରିସୀମା ବୃଦ୍ଧି କରାଯାଇଥିବା ବେଳେ ୪୨ମୌଜାର ୮୨ଟି ଗ୍ରାମକୁ ସିଡିଏରେ ସାମିଲ କରିବା ସକାଶେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତା’ଛଡା ୧୪୫ଟି ରାଜସ୍ୱ ଗ୍ରାମର ଉନ୍ନତିକରଣ ସକାଶେ ତୁରନ୍ତ ସର୍ଭେ କରାଯାଇ ଏକ ନୂତନ ‘ସମନ୍ୱିତ ଉନ୍ନୟନ ଯୋଜନା’ ପ୍ରସ୍ତୁତ କରାଯିବ ଏବଂ ସେଥିପାଇଁ ସିଡିଏ ପକ୍ଷରୁ ଏକ ନୀତି ପ୍ରଣୟନ କରାଯିବ । ଏତଦ୍ ବ୍ୟତୀତ ୪.୫ ମିଟର ରାସ୍ତାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଯୋଗୁ ୨୦୧୭ ପୂର୍ବରୁ ପ୍ଲାନ ଆପ୍ରୁଭାଲ ହୋଇପାରୁନଥିବା ବେଳେ ଏହି ନିୟମକୁ କୋହଳ କରାଯାଇ ପଡି ରହିଥିବା ୨୫୦୦ ପ୍ଲାନ୍କୁ ମଂଜୁର କରାଯାଇଛି । ସେହିପରି ଦ୍ୱନ୍ଦ୍ୱ ଯୋଗୁ ପଡି ରହିଥିବା ଇଚ୍ଛାଧୀନ କୋଟାର ୭୭ଟି ଜମିକୁ ମଂଜୁରି ଦିଆଯାଇଛି । ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ସିଏମସି ମେୟର ସୁବାସ ସିଂହ, ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ସିଡିଏ ସଚିବ, ଫାଇନାନ୍ସ ସଦସ୍ୟ, ଇଞ୍ଜିନିୟରିଂ ସଦସ୍ୟ, ପ୍ଲାନିଂ ସଦସ୍ୟ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।