ଭୁବନେଶ୍ୱର, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ରହିଛି ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଥିବା ଜଣାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି।ସେହିପରି ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି।
ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍ରେ ସେମାନଙ୍କ ଫଳ ଜାଣିପାରିବେ।
ସୂଚନା ଅନୁଯାୟୀ ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।
ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ । ୭୭ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୪୭୦ ଏକ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ ହାର ୮୫.୬୭ ପ୍ରତିଶତ । ଛାତ୍ରଙ୍କ ପାସହାର ୮୪.୨୮ ପ୍ରତିଶତ । ୩୯ହଜାର ୫୭୩ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୪ହଜାର ୨୫୭ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୪ହଜାର ୮୫୨ ଜଣ । ନୟାଗଡରେ ସର୍ବାଧିକ ପାସ ହାର ୯୬.୪୧ ପ୍ରତିଶତ । ଗଜପତିରେ ସର୍ବନିମ୍ନ ପାସ ହାର ୬୧.୫୫ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାପଡିଛି । ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ, ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୧୯,୫୩୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧୮୭୪୦ ରେଗୁଲାର ପରୀକ୍ଷାର୍ଥୀ ପାସ କରିଥିବା ବେଳେ ୭୮୯ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ନୟାଗଡରେ ସର୍ବାଧିକ ପାସ୍ ହାର ୯୩.୦୯% ଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ପାସ୍ ହାର ୫୫.୫୫% ରହିଛି । ତେବେ ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୭୯.୫୨% ରହିଛି ।ସେହିଭଳି ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୮୩.୮୭% ରହିଛି । ଏଥିରେ ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।