Monday , October 2 2023
Breaking News
Home / ବିଶେଷ / ମହତ୍ମା ଗାନ୍ଧୀ ଓ ବରୀ    –

ମହତ୍ମା ଗାନ୍ଧୀ ଓ ବରୀ    –

ପ୍ରାୟ ଅଣାନବେ ବର୍ଷ ତଳର କଥା । ସେତେବେଳେ ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ବରୀରେ ରାତ୍ରି ଯାପନ କରିଥିଲେ । ୧୯୩୪ମସିହା ମେ ମାସ ୨୧ତାରିଖରେ ମହାତ୍ମା ଗାନ୍ଧୀ ଯାଜପୁର ଜିଲ୍ଲାର ବଇରୀ ରେଳ  ଷ୍ଟେସନ ଠାରୁ ହରିଜନ ପଦ ଯାତ୍ରା ଆରମ୍ଭ କରି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାରେ ପଦ ଯାତ୍ରା  କରି ଜୁନ ୦୭ ତାରିଖରେ ସପ୍ତମ ଓଡିଶା ଆଗମନ ଶେଷ କରିଥିଲେ ଏବଂ କର୍ମୀମାନଙ୍କୁ ଗୋଟିଏ ଗୋଟିଏ ଗ୍ରାମରେ ରହି ରଚନାତ୍ମକ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ୧୯୩୪ମସିହାରେ ହରିଜନ ପଦଯାତ୍ରା ସମୟରେ ମେ ମାସ ୩୦ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ନିକଟସ୍ଥ ଧୁମାନ୍ତରୁ ମଧ୍ୟାହ୍ନ ଭୋଜନ ଶେଷକରି ମହାତ୍ମାଗାନ୍ଧୀ ବରୀ ଅଭିମୁଖ୍ୟ ବାହାରିଥିଲେ ଓ ବ୍ରାହ୍ମଣୀ ନଦୀ ପାର ହୋଇ କାଇପଡା ସ୍ଥିତ ଗୋଲା ହାଟ ଦେଇ ଅନ୍ୟାସୀପୁରର ଗଦାଧର ପାଲିତିଙ୍କ ଆମ୍ବତୋଟାରେ ରାତ୍ରି ଜାପାନ କରିଥିଲେ ।   ପରଦିନ ସକାଳୁ ସେଠାରୁ ବାହାରି ମଧ୍ୟାହ୍ନରେ ଅରାଙ୍ଗାବାଦ ଚୌପାଢୀରେ ପହଞ୍ଚିଥିଲେ । ସେଠାରେ ଗୋବର୍ଦ୍ଧନ ପୁହାଣ, ଆର୍ତ୍ତବନ୍ଧୁ ମହାନ୍ତି ଓ ଦାଶରଥୀ ସାମଲ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ଚୌଧୁରୀ ବାମନ ଚନ୍ଦ୍ର ଦାସଙ୍କ ଘରେ ମଧ୍ୟାହ୍ନ ଭୋଜନ ଶେଷକରି ଅପରାହ୍ନରେ ବାଗଦା ମେଲଣ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଅସ୍ପୃଶ୍ୟତାକୁ ଯକ୍ଷ୍ମା ରୋଗ ସହ ତୁଳନା କରି ତାକୁ ନିର୍ମୁଳ କରିବାକୁ ଉପଦେଶ ଦେଇଥିଲେ, ଯାହାର ଓଡ଼ିଆ ଅନୁବାଦ ରାଜକୃଷ୍ଣ ବୋଷ କରି ଥିଲେ ଏବଂ ସେହି ସଭାରେ ଗଣେଶ୍ୱର ଦାସ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ହଳଧର ସାହାଣୀ, ରୂପ ସାହାଣୀ, ଗଜେନ୍ଦ୍ର ଦ୍ବିବେଦୀ ପ୍ରମୁଖ ବରୀ ଅଞ୍ଚଳର ବହୁ ଲୋକ ଯୋଗ ଦେଇ ଶଙ୍ଖ ଓ ହୁଳୁହୁଳିରେ ମହାତ୍ମାଙ୍କୁ ସ୍ୱାଗତ କରିଥିଲେ । ଲୋକମାନେ ହାତ କଟା ସୂତା ମାଳ, ଫୁଲ ଓ ଚନ୍ଦନ ମଧ୍ୟ ଦେଇଥିଲେ । ଢୋଲ ପାଟିକୁ ଗାନ୍ଧିଜୀ ନାପସନ୍ଦ କରିବାରୁ କୀର୍ତ୍ତନ ଦଳ ତାଙ୍କ ସହ ଚାଲିଥିଲା । ସନ୍ଧ୍ୟାରେ ଅଟିରା ଗ୍ରାମପଞ୍ଚାୟତର ନୂଆଗାଁ ଠାରେ ଏକ ସଭା ଶେଷକରି ସାହସପୁରର ଗୋବିନ୍ଦପୁର ଠାରେ ରାତ୍ରି ଯାପନ କରିଥିଲେ ।

          ସତ୍ୟରଞ୍ଜନ କର

ଏହି ଦୁଇଦିନରେ ଗୋଦାବରୀ ଦେବୀ ଗାନ୍ଧିଜୀଙ୍କୁ ଓଡ଼ିଆରେ ଲେଖିବା ଶିଖାଇଥିଲେ । ଉକ୍ତ ପଦ ଯାତ୍ରାରେ ମନମୋହନ ଚୌଧୁରୀ ଫୋଟୋ ଉଠାଉଥିଲେ ଓ  ବିନୋଦ କାନୁଗୋ ପ୍ରତିଦିନର ବିବରଣୀ ଖବର କାଗଜକୁ ପଠାଉଥିଲା ବେଳେ ଗୋପବନ୍ଧୁ ଚୌଧୁରୀ, ମା ରମାଦେବୀ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଗୁଣନିଧି ମହାନ୍ତି, ମଙ୍ଗଳା ସେନଗୁପ୍ତା, କେ. ବୁଟୋ, ଉମା ବାଜାଜ, ଶୋଭା ପଣ୍ଡା, ଗୋଦାବରୀ ଦେବୀ, ମାଣିକ ଦେବୀ, ସୁଶୀଳା ଦେବୀ, ତୁଳସୀ ଦେବୀ ଓ ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଉଥିଲେ ।  ପର ଦିନ ସକାଳୁ କବୀରପୁରର ଗଦାଧର ଦତ୍ତଙ୍କ ଘରେ ମଧ୍ୟାହ୍ନ ଭୋଜନ ଶେଷକରି ଯାଜପୁର ଅଭିମୁଖେ ବାହାରି ଥିଲେ । କିନ୍ତୁ ବୁଢ଼ା ନଦୀ ଘାଟ ପାଖରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେବାରୁ ବୁଢ଼ା ନଦୀ ଘାଟ କୂଳରେ ରାତ୍ରି ଯାପନ କରିଥିଲେ । ଦୁଇ ଜୁନରେ ଯାଜପୁର ଜିଲ୍ଲାର  ପଦ ଯାତ୍ରା ଶେଷ କରି ଭଦ୍ରକ ଜିଲ୍ଲାକୁ ଆଗମନ କରିଥିଲେ ।  ଭଦ୍ରକ ଜିଲ୍ଲାରେ ଜୁନ ୦୭ ତାରିଖରେ ମହାତ୍ମା ଗାନ୍ଧୀ ପଦଯାତ୍ରା ଶେଷ କରି  ଜୁନ ୦୮ ତାରିଖରେ ବିହାରର ପାଟଣା ଅଭିମୁଖ୍ୟ ଯାଇଥିଲେ । ମହାତ୍ମା ଗାନ୍ଧୀଙ୍କ ବରୀ ମାଟିରେ ପଦଯାତ୍ରା, ରହଣି, ସଭାସମିତି କରି ସ୍ୱାଧୀନତା ସଂଗ୍ରାମର ବୀଜ ବୁଣିବା ବରୀ ବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା ଥିଲା । ଯାହା ଫଳରେ ଆମ ଦେଶ ମାତୃକାକୁ ସ୍ୱାଧୀନତା ଫେରାଇ ଆଣିବା ପାଇଁ ବରୀ ଅଞ୍ଚଳରୁ ବହୁ ଲୋକ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରା ଯୋଗୁଁ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ   ଯୋଗ ଦେଲେ ଏବଂ ଗୋପବନ୍ଧୁ ଚୌଧୁରୀ ଓ ମାଆ ରମାଦେବୀଙ୍କ ନେତୃତ୍ୱରେ ପରବର୍ତୀ ସମୟରେ ବରୀରେ ଗଢି ଉଠିଲା କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର, ଗୋପବନ୍ଧୁ ରମାଦେବୀ ସେବା ଆଶ୍ରମ ଏବଂ ବହୁ ମୌଳିକ ଶିକ୍ଷା କେନ୍ଦ୍ର ଓ  ସେଠାରୁ ସୃଷ୍ଟି ହେଲା ସ୍ୱାଧୀନତା ସଂଗ୍ରାମର ବହ୍ନି । ବରୀ ଅଞ୍ଚଳର ଲୋକମାନେ ନିଜ ଅଞ୍ଚଳରେ ରହି ଗ୍ରାମ ସଫେଇ, ନାରୀ ଜାଗରଣ, ଉନ୍ନତି ମୂଳକ କୃଷି, ଗୋପାଳନ, ସୂତାକଟା, ଖଜୁରୀ ଗୁଡ଼ ତିଆରି, ମହୁମାଛି ପାଳନ, ଖଦୀର ପ୍ରସାର, ଚମଡା କାମ, ଅସ୍ପୃଶ୍ୟତା ବର୍ଜନ, ଆତ୍ମ ନିର୍ଭରଶିଳତା, ନିଶାନିବାରଣ ଓ ମୌଳିକ ଶିକ୍ଷାଦାନ ଇତ୍ୟାଦି ପନ୍ଦର ପ୍ରକାର ରଚନାତ୍ମକ କାର୍ଯ୍ୟ କଲେ । ବରୀ ପାଲଟିଗଲା ସଂଗ୍ରାମୀ ମାଟି ଏବଂ ସେଥିପାଇଁ ବରୀ ମାଟିକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ କୁହାଯାଏ ।

-0-

ସମାଜସେବୀ ସତ୍ୟରଞ୍ଜନ କର, ବରୀ, ଯାଜପୁର

Leave a Reply

Your email address will not be published. Required fields are marked *