ବାଲେଶ୍ବର, ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଅନ୍ଟାଲେଣ୍ଟେଡ଼୍ ଗାୟ ଉଦୀତ୍ ନାୟକ୍ କୁ ବାଲେଶ୍ବର ପୁଲିସ ଗିରଫ କରିଛି । ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ଉଦୀତ୍ ନାୟକ ଗତ ୨୪ ତାରିଖ ଦିନ ଗୁଳିମାଡ ସହ ଭୁଜାଲିରେ ହାଣି ପିଙ୍କୁ ଓ ଅମିତ ନାମକ ଦୁଇଜଣଙ୍କୁ ଗୁରୁତର ଆହତ କରି ଫେରାର ହୋଇଯାଇଥିଲେ। ଆଜି ପୁଲିସ ଏହି ଘଟଣାରେ ଉଦୀତ୍ ନାୟକ ସହ ଅନ୍ୟ ୫ ଜଣ ସହଯୋଗୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ଟି ମୋଟର ସାଇକେଲ, ୭ଟି ମୋବାଇଲ ଜବତ କରିବା ସହିତ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ପୁଲିସ ଫ୍ରିଜ୍ କରିଛି ।
ସୂଚନା ଅନୁସାରେ ଉଦୀତ୍ ୟୁଟ୍ୟୁବ୍ ରେ ଅନ୍ଟେଲେଣ୍ଟେଡ଼୍ ଗାୟ ନାମରେ ଏକ ଚ୍ୟାନେଲ୍ ଖୋଲି ସେଥିରେ ଅଶ୍ଳୀଳ ଭାଷା ବ୍ୟବହାର କରି ଭିଡ଼ିଓ ପୋଷ୍ଟ କରୁଥିଲା । ଏହି ପୋଷ୍ଟରେ ରିଙ୍କୁ ଦାସ କମେଣ୍ଟ ଦେବାକୁ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗତ ୨୪ ତାରିଖରେ ପିଙ୍କୁ ଓ ଅମିତ ରେମୁଣା ଗୋଲେଇସ୍ଥିତ ପେଟ୍ରୋଲ ପମ୍ପକୁ ବାଇକ୍ ରେ ତେଲ ପକାଇବାକୁ ଆସିଥିଲେ । ଏହି ସମୟରେ ଜୋର୍ ରେ ବର୍ଷା ହେଉଥିବାରୁ ଉଭୟ ରେମୁଣା ଗୋଲେଇ ପୋଲ ତଳେ ଅଟକି ରହିଥିଲେ । ଏତିକି ବେଳେ ୩ଟି ବାଇକ୍ ରେ ୬ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ପିଙ୍କୁ ଓ ଅମିତ୍ ଙ୍କୁ ଗାଳିଗୁଲଜ କରିବା ସହ ଭୁଜାଲି, ବନ୍ଧୁକ ବାହାର କରି ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଉଦିତ ନାୟକ ହଠାତ ଏକ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା। ପିଙ୍କୁର କାନ୍ଧରେ ଗୁଳି ବାଜିଥିଲା । ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ପିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ଆଣି ଥିଲା ।