Friday , September 22 2023
Breaking News
Home / ବିଶେଷ / ଆନ୍ତର୍ଜାତୀୟ ଉଠାଦୋକାନୀ ଦିବସରେ ଦାବି

ଆନ୍ତର୍ଜାତୀୟ ଉଠାଦୋକାନୀ ଦିବସରେ ଦାବି

ଉଠାଦୋକାନୀ ୱେଲ୍ଫେୟାର ବୋର୍ଡ଼ ଗଠନ କରାଯାଉ : ପ୍ରତାପ ସାହୁ

ଭୁବନେଶ୍ୱର, ୨୬/୦୫/୨୦୨୩ (ଓଡ଼ିଶା ସମାଚାର)-     ଆନ୍ତର୍ଜାତୀୟ ଉଠାଦୋକାନୀ ଦିବସ ପରିପ୍ରେକ୍ଷୀରେ  ଶୁକ୍ରବାର ଦିନ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ମାଷ୍ଟର କ୍ୟାନଟିନ ଛକରୁ ଶହ ଶହ ଉଠାଦୋକାନୀମାନେ ହାତରେ ପ୍ଲାକାର୍ଡ଼ ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକରେ ପହଂଚିଥିଲେ । ସେଠାରେ ଉଠାଦୋକାନୀ ଏକତା ଜିନ୍ଦାବାଦ, ଓଡ଼ିଶାରେ ଉଠାଦୋକାନୀ ୱେଲଫେୟାର ବୋର୍ଡ଼ ଗଠନ କରାଯାଉ, ଉଠାଦୋକାନ ଉଚ୍ଛେଦ କରିବା ଚଳିବ ନାହିଁ, ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରଯାଉ, ଟାଉନ ଭେଣ୍ଡିଂ କମିଟି ନିର୍ବାଚନ ମାଧ୍ୟମରେ ଗଠନ କରିବା ଆମର ଦାବି ଆଦି ବିଭିନ୍ନ ସ୍ଲୋଗାନ ଦେଇ ବିଧାନସଭା ଆଗକୁ ମାଡ଼ି ଚାଲିଥିବା ବେଳେ ରାସ୍ତାରେ ସେମାନଙ୍କୁ ପୋଲିସ୍ ଅଟକାଇଥିଲା । ଏହାପରେ ମହାସଂଘର ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଅନୁଜ ପ୍ରଧାନ, ସୂର୍ଯ୍ୟମଣି ସାହୁ, ଅନୁ ମିଶ୍ର, ଲଲାଟ କୁମାର ଓଝା, ଶୁଭଲକ୍ଷ୍ମୀ ମହାନ୍ତି ଓ ସସ୍ମିତା ସାହୁ ପ୍ରମୁଖ ୭ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ୭ଦଫା ଦାବି ପତ୍ର ପ୍ରଦାନ କରିଥିଲେ ।

ଏଠାରେ ସୂଚନାଥାଉକି, ଓଡ଼ିଶା ସରକାର କେନ୍ଦ୍ର ଆଇନକୁ ଅନୁଧ୍ୟାନ ନକରି ତରବରିଆ ଭାବରେ ଯେଉଁ ଆଇନ ଗଠନ କରିଛନ୍ତି ତାହା କେନ୍ଦ୍ର ଆଇନକୁ ବିରୋଧ କରୁଅଛି । ତେଣୁ ରାଜ୍ୟ ସରକାର କେନ୍ଦ୍ର ଆଇନ ଅନୁଯାୟୀ ଓଡ଼ିଶା ଉଠାଦୋକାନୀ ଆଇନ ଗଠନ କରିବା ପାଇଁ ବହୁବାର ଦାବି ହୋଇ ଆସୁଅଛି । ରାଜ୍ୟ ସରକାର କହିଁକି ଉଠାଦୋକାନୀ ମାନଙ୍କୁ ଅଣଦେଖା କରି ଚାଲିଛନ୍ତି ତାହା ବୁଝା ପଡୁନାହିଁ । କେନ୍ଦ୍ରୀୟ ଆଇନରେ ଟାଉନ ଭେଣ୍ଡିଂ କମିଟିରେ ୪୦ ପ୍ରତିଶତ ପ୍ରତିନିଧି ଥିଲାବେଳେ ରାଜ୍ୟରେ ତାହାକୁ ୪ଜଣରେ ସୀମିତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାହୁ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଯଦି ରାଜ୍ୟ ସରକାର ଭବିଷ୍ୟତରେ ଉଠାଦୋକାନୀମାନଙ୍କ କ୍ଷେତ୍ରରେ ରାଜ୍ୟ ଆଇନରେ ପରିବର୍ତନ ନ ଆଣନ୍ତି, ତେବେ ମହାସଂଘ ବାଧ୍ୟ ହୋଇ ୩୦ଟି ଜିଲ୍ଲାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *