Saturday , June 3 2023
Breaking News
Home / ବିଶେଷ / ବିଭିନ୍ନ ଜେଲ୍ ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ମୁକ୍ତ ହେବେ

ବିଭିନ୍ନ ଜେଲ୍ ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ମୁକ୍ତ ହେବେ

ଭୁବନେଶ୍ବର/ ବଲାଙ୍ଗୀର, ୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ଜେଲ୍ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ଜେଲ୍ରୁ ମୁକ୍ତ ହେବେ। ଓଡ଼ିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯିବା ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁ କଏଦୀମାନେ ୧୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସଜା କାଟି ସାରିଲେଣି, ତଥା ସଜା କାଟୁଥିବା ଏହି କଏଦୀମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଓଡ଼ିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଥିଲା। ରାଜ୍ୟ ସରକାର ଏନେଇ ରିଭିଉ କରିବା ପରେ ଏହି କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ଅନୁମତି ଦେଇଛନ୍ତି। ବଲାଙ୍ଗୀର ଜେଲରୁ ୩ଜଣ କଏଦୀ, ରାଉରକେଲା ସ୍ପେଶାଲ ଜେଲ୍ରୁ ଜଣେ, ଜାମୁଝରି ମୁକ୍ତାକାଶ ଜେଲରୁ ଦୁଇଜଣ ଓ କୋରାପୁଟ ସର୍କଲ ଜେଲରୁ ୨ ଜଣ କଏଦୀ ମୁକ୍ତ ହେବେ।
ଏହି କ୍ରମରେ ଆଜି ସନ୍ଧ୍ୟାରେ ବଲାଙ୍ଗୀର ଜେଲରୁ ୩ଜଣ କଏଦୀ ମୁକ୍ତ ହୋଇଛନ୍ତି । ୧୪ ବର୍ଷ ସଜା କାଟିବୁ ଭାବିଥିଲୁ। ଦେଖୁ ଦେଖୁ ବିତିଗଲା ବର୍ଷ ପରେ ବର୍ଷ। ୧୮ ବର୍ଷ ୬ ମାସ ହେଲା ସରକାର ବୁଢ଼ା ବେଳେ ମୁକୁଳାଇଲେ। ଏବେ ଆଉ ଖୁସି କଣ? ମଲା ବେଳେ ମାଟି ଟିକିଏ ଦେଖିବୁ। ଏଭଳି କିଛି କୋହଭରା କଣ୍ଠରେ କହିଛନ୍ତି ଜେଲରୁ ମୁକୁଳିଥିବା ଦୁଇ ଭାଇ ଙ୍କ ସମେତ ୩ ଜଣ କଏଦୀ। ଲୋଇସିଂହା ଥାନା ଆଗଲପୁର ବ୍ଲକ୍ ଲୁହୁରାମୁଣ୍ଡା ଗାଁରେ ୧୯୮୫ ମସିହାରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଉକ୍ତ ମାମଲାରେ ଲୁହୁରାମୁଣ୍ଡା ଗାଁର ୩ ଜଣ ସୁଫଳ ତାଣ୍ଡି (୯୦), ଭାଇ ସମାରୁ ତାଣ୍ଡି (୯୨) ଓ ପାଚିଲା ରାଉତ ଗିରଫ ହୋଇ ଜେଲ୍ ଯାଇଥିଲେ। ତିନିଜଣ ଯାକ ନିର୍ଦୋଷ ଥିବା କହି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ମାମଲାର ଶୁଣାଣି ହୋଇ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେହି ଦିନରୁ ବଲାଙ୍ଗୀର ଜେଲ୍ ଭିତରେ ତିନିଜଣ ଥିଲେ। ବର୍ଷ ବର୍ଷ ବିତିଗଲା ପରେ ବି ଜେଲ୍ର ଚାରିକାନ୍ଥ ବାହାରକୁ ଯାଇପାରୁନଥିଲେ। ଏବେ ପରିଣତ ବୟସରେ ରାଜ୍ୟ ସରକାର ବିଭିନ୍ନ ଜେଲ୍ରୁ କଏଦୀଙ୍କୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେବା ପରେ ସେହି ଅନୁସାରେ ଆଜି ତିନି ଜଣ ଜେଲ୍ ବାହାରକୁ ବାହାରିଥିଲେ। ସଂଧ୍ୟାରେ ଗାଁରୁ ପରିବାର ଓ ସଂପର୍କୀୟ ଆସି ଜେଲ୍ ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କୁ ସାକ୍ଷାତ କରି ସାଙ୍ଗରେ ସେମାନଙ୍କୁ ନେଇ ଯାଇଥିଲେ। ଯିବା ସମୟରେ ଜେଲ୍ ଭିତରେ ଆଚାର ବ୍ୟବହାର ଭଲ ଥିବାରୁ ତାଙ୍କୁ ଫୁଲମାଳ ଦେଇ ଜେଲ୍ ଅଧୀକ୍ଷକ ବିଦାୟ ଦେଇଥିଲେ। ଏପରିକି ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ଦିଆଯାଇଥିଲା। କିନ୍ତୁ ଜେଲ୍ରୁ ବାହାରିବା ପରେ ଖୁସି କହିଲେ କେବଳ ମା ମାଟି ଦେଖିବେ କହି ଭାବବିହ୍ୱଳ ହୋଇପଡ଼ିଥିଲେ ତିନି କଏଦୀ।

Leave a Reply

Your email address will not be published.