ଚୌଦ୍ୱାର, ୨୫/୦୫/୨୦୨୩ (ଓଡ଼ିଶା ସମାଚାର)- କୂଅ ସଫେଇ ବେଳେ ଅଘଟଣ । ଆଗ୍ରାହାଟ ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଏକ କୂଅ ସଫେଇ କରାଯାଉଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ପୁଲିସ୍ ସୂଚନା ଅନୁଯାୟୀ ସେହି ଗ୍ରାମରେ ରହୁଥିବା ଯୁବକ ଗୋପି ପୁର୍ତ୍ତି (୩୨) ମଙ୍ଗଳପୁର ଗ୍ରାମର ସୁଧୀର ନାୟକଙ୍କ ଏକ କୂଅକୁ ମଟର ଲଗାଇ ପାଣି କାଢ଼ିବା ସହିତ ସଫେଇ କରୁଥିଲେ। କିଛି ସମୟ ପରେ ଘର ମାଲିକ କୂଅ ଭିତରକୁ ଚାହିଁଲା ବେଳକୁ ଗୋପି ମଟର ପାଇପ୍ ଧରି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଡାକିବାରେ ସେ ନଶୁଣିବାରୁ କିଛି ଅଘଟଣର ସନ୍ଦେହ କରି ଘର ମାଲିକ ଦମକଳ ବାହିନୀକୁ ଖବର ଦେଇଥିଲେ। ଚୌଦ୍ୱାର ଦମକଳ ବାହିନୀ କୂଅ ଭିତରୁ ମୃତ ଅବସ୍ଥାରେ ଗୋପିଙ୍କୁ ବାହାରକୁ ଆଣିଥିଲେ। ଖବର ପାଇ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରୀ ରଖିଛି। କୂଅ ଭିତରେ ମାତ୍ର ୨ଫୁଟ ପାଣି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ଗୋପିର ମୃତ୍ୟୁ ଘଟିଥିବା ଆଶଂକା କରାଯାଉଛି।