ପାରଳାଖେମୁଣ୍ଡି,୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗାଁରେ ଗୁରୁବାର ଘଟିଛି ଯାଇଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ୟୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ୟୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଜମିରେ ମୁଣ୍ଡ ବିହୀନ ଶରୀର ପଡିଥିବା ବେଳେ ଘର ଦାଣ୍ଡରେ କଟାମୁଣ୍ଡ ପଡିଛି। ହତ୍ୟା କରିବାପରେ ସ୍ତ୍ରୀର କଟାମୁଣ୍ଡ ଆଣି ଘର ସାମ୍ନାରେ ରଖିଥିଲା ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର ମୃତଦେହ ପଡ଼ିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଉର୍ମିଳା ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ୟୀର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିବା କାରଣରୁ ତାକୁ ଛାଡ଼ି ଚାଲିଯାଇଥିବା କୁହାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତର ଏକ ଦୁଇ ବର୍ଷର ଶିଶୁ ସନ୍ତାନଟିଏ ବି ଥିବା ଜଣାଯାଇଛି।