Monday , June 5 2023
Breaking News
Home / ଶିକ୍ଷା / ଦୁର୍ଦ୍ଧିନରେ ଭୋକେସନାଲ ଶିକ୍ଷା, ଅନ୍ଧାରରେ ପ୍ରଶିକ୍ଷକ, କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ସରକାର

ଦୁର୍ଦ୍ଧିନରେ ଭୋକେସନାଲ ଶିକ୍ଷା, ଅନ୍ଧାରରେ ପ୍ରଶିକ୍ଷକ, କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩/୦୫/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଭୋକେସନାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଉନାହାଁନ୍ତି । ପ୍ରତି ସ୍କୁଲ୍ ମାନଙ୍କରେ ଭୋକେସନାଲ୍ ଶିକ୍ଷାର ପାଠ୍ୟକ୍ରମ ପଢାଯିବାର ସୁବ୍ୟବସ୍ଥା କରୁନାହାଁନ୍ତି । ପିଲାମାନଙ୍କର ଭବିଷ୍ୟତ ନେଇ ସରକାର ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷଭାବେ ହେଉ ଖେଳ ଖେଳିଚାଲିଛନ୍ତି । ଯେଉଁ ପିଲାମାନେ ଭୋକେସନାଲ୍ ପାଠ୍ୟକ୍ରମରେ ନିଜର ଭବିଷ୍ୟତ ଗଢି ତୋଳିବାକୁ ଆଶା ରଖିଛନ୍ତି, ସେମାନଙ୍କର ଆଶା ପୁରଣ ହେବାରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ଭୋକେସନାଲ୍ ପାଠ୍ୟକ୍ରମ କିପରି ସମ୍ପୂର୍ଣ୍ଣ ହେବ ଓ ସମ୍ପୂର୍ଣ୍ଣ ହେଲାପରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର କୌଣସି ସମ୍ଭାବନା ମଧ୍ୟ ବର୍ତମାନ ଦେଖାନ ଯିବା ପରି ମନେ ହେଉଛି । ବିଡ଼ମ୍ବନାର ବିଷୟ ଯେ, ଭୋକେସନାଲ୍ ପାଠ୍ୟକ୍ରମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିଲେ ମଧ୍ୟ ଏଥିରେ ନିଯୁକ୍ତ ଶିକ୍ଷକ ଏବଂ ସମଗ୍ର ଭୋକେସନାଲ୍ ପାଠ୍ୟକ୍ରମ ଏବଂ ପରୀକ୍ଷାର ପରିଚାଳନାର ସରକାରଙ୍କର ନିୟନ୍ତ୍ରଣରେ ନାହିଁ । ରାଜ୍ୟ ସରକାର ବିଭିନ୍ନ କମ୍ପାନୀମାନଙ୍କୁ ଭୋକେସନାଲ୍ ଶିକ୍ଷା ବ୍ୟବସ୍ଥା ବୁଝିବା ପାଇଁ ଦାୟିତ୍ୱ ଦେଇ ନିଘୋଡ ନିଦ୍ରାରେ ଶୋଇଛନ୍ତି । କମ୍ପାନୀମାନେ ଯେମିତି କହୁଛନ୍ତି, ଯାହା କହୁଛନ୍ତି ସରକାର ସେମାନଙ୍କ କଥାରେ ବାଟ ଚାଲୁଛନ୍ତି । ରାଜ୍ୟ ତଥା ଦେଶର ଭବିଷ୍ୟତକୁ ଆଖି ଆଗରେ ରଖି ଏବଂ ଭୋକେସନାଲ୍ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୋକେସନାଲ୍ ଶିକ୍ଷା ବ୍ୟବସ୍ଥାକୁ ନିଜ ଅଧିନରେ ରଖିବା ନିହାତି ଆବଶ୍ୟକ ହୋଇପଡ଼ିଛି । କମ୍ପାନୀମାନେ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଏବଂ ସେମାନଙ୍କର ଅଫିସ୍ ପରିଚାଳନାରେ ସରକାରଙ୍କ କୌଣସି ହସ୍ତକ୍ଷେପ ନଥିବାରୁ କମ୍ପାନୀମାନେ ମନଇଛା ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦେଉଛନ୍ତି ଓ ମନଇଛା ଛଟେଇ ବି କରୁଛନ୍ତି । ଭୋକେସନାଲ୍ ପ୍ରଶିକ୍ଷକମାନଙ୍କୁ ମନଇଛା ଖଟାଉଛନ୍ତି ଓ ଟିକେ ଟିକେ କଥାରେ ଛଟେଇର ଧମକ ଦେଉଛନ୍ତି । ଏପରିକି ଗତ କିଛି ମାସ ମଧ୍ୟରେ ବିନା କୌଣସି ନୋଟିସ୍ ରେ ଏବଂ ପର୍ଯ୍ୟାପ୍ତ କାରଣ ନଥାଇ ୫୦ ରୁ ଅଧିକ ଭୋକେସନାଲ୍ ଟ୍ରେନର ମାନଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି । ଛଟେଇ ହୋଇଥିବା ଟ୍ରେନରମାନଙ୍କୁ ବିଦାୟ ସମୟରେ କମ୍ପାନୀମାନେ କୌଣସି ପ୍ରାପ୍ୟ ନ ଦେଇ ଖାଲି ହାତରେ ଘରକୁ ପଠାଇ ଦେଇଛନ୍ତି । ସବୁଠୁ ବଡ଼ ଦୁଃଖ ଓ ପରିତାପର ବିଷୟ, ଭୋକେସନାଲ୍ ପ୍ରଶିକ୍ଷକମାନେ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଗତ କିଛି ମାସ ମଧ୍ୟରେ କେତେଜଣ ମୃତୁ୍ୟବରଣ କରିଥିଲେ ମଧ୍ୟ ସେମାନଙ୍କ ପରିବାରକୁ କମ୍ପାନୀମାନଙ୍କ ତରଫରୁ କୌଣସି ମୃତୁ୍ୟକାଳୀନ ସହାୟତା ଦିଆଯାଇନାହିଁ ବା ସେମାନଙ୍କ ପରିବାରରୁ କାହାକୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଓସେପା ର ଅମରେଶ ମହାପାତ୍ର ନାମକ ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ହାତ କରି ଭୋକେସନାଲ୍ କମ୍ପାନୀମାନେ ପ୍ରଶିକ୍ଷକମାନଙ୍କର କୌଣସି ସମସ୍ୟା ସମାଧାନ କରୁନାହାଁନ୍ତି କି ସେମାନଙ୍କର ପ୍ରାପ୍ୟ ଠିକ୍ ଭାବେ ମଧ୍ୟ ପୈଠ କରୁନାହାଁନ୍ତି । ପ୍ରଶିକ୍ଷକମାନେ କମ୍ପାନୀମାନଙ୍କର ଏଭଳି ମନୋମୁଖି କାର୍ଯ୍ୟ ଏବଂ ଓସେପାର ଅଧିକାରୀଙ୍କର ଦୁର୍ନୀତିଖୋର ମନୋଭାବ ବିରୋଧରେ ବହୁଥର ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରି ସରକାରଙ୍କର ନଜରକୁ ଆଣିଥିଲେ ମଧ୍ୟ କୌଣସି ଫଳ ମିଳିପାରିନାହିଁ । ଅପରପଟେ ଓସେପା ଅଫିସ୍ ଭିତରକୁ ଭୋକେସନାଲ୍ ଟ୍ରେନରମାନଙ୍କୁ ସିକୁ୍ୟରିଟିଗାର୍ଡ ମାନଙ୍କ ଦ୍ୱାରା ପ୍ରବେଶ ବାରଣ କରିବା ପାଇଁ ଅଘୋଷିତ ନିର୍ଦ୍ଧେଶ ଦେଇଛନ୍ତି ବୋଲି ଜାଣିବାକୁ ମିଳୁଛି । ଏହାର ସୁଯୋଗ ନେଇ କମ୍ପାନୀମାନେ ଠିକ୍ ସମୟରେ ଭୋକେସନାଲ୍ ଟ୍ରେନରମାନଙ୍କର ଇ.ପି.ଏଫ୍. ଓ ଇ.ଏସ୍.ଆଇ. ଅର୍ଥ ଡିପୋଜିଟ୍ କରୁନାହାଁନ୍ତି ଏବଂ ପ୍ରୋଜେକ୍ଟ ଚଳାଇବାରେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି । ଏହିସବୁର ପ୍ରତିବାଦରେ ଆଜି ୩୦ଟି ଜିଲ୍ଲାର ଭୋକେସନାଲ୍ ପ୍ରଶିକ୍ଷକମାନେ ଇନ୍ଦିରାଗାନ୍ଧୀ ପାର୍କରେ ଏକାଠି ହୋଇ କମ୍ପାନୀମାନଙ୍କ ନିର୍ଯ୍ୟାତନା ଓ ସରକାରୀ ଅଫିସରମାନଙ୍କ ସହ ଭିତିରି ବୁଝାମଣା ବିରୁଦ୍ଧରେ ଆଲୋଚନା କରି ଶୀଘ୍ର ଏ ସବୁର ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିବା ସହ ସରକାର କିଛି ନ ଶୁଣନ୍ତି, ତେବେ ଆସନ୍ତା ୨୯.୫.୨୦୨୩ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପି.ଏମ୍.ଜି ଠାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଧାରଣାରେ ବସିବ ବୋଲି ପ୍ରକାଶ କରିଛନ୍ତି ଅଲ୍ ଓଡ଼ିଶା ଭୋକେସନାଲ୍ ଟ୍ରେନର ସଭାପତି ସୁନୀଲ୍ କୁମାର ଦେବତା ।

Leave a Reply

Your email address will not be published.