Saturday , June 3 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୫/୨୦୨୩ (ଓଡ଼ିଶା ସମାଚାର)- ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଦୁବାଇ ଉଡାଣ ସେବାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ୟ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ। ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ଓ୍ବେ । ଦୁବାଇରୁ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ଏହି ବିମାନ ଭୁବନେଶ୍ବରରେ ୫.୩୦ ରେ ପହଞ୍ଚିଥିଲା । ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା । ସେହିପରି ଭୁବନେଶ୍ୱରରୁ ୧୮୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଯାଇଥିଲା । ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ୟ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ୩ଦିନ ବିମାନ ସେବା ଚାଲିବ । ଏହାପରେ ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ବିମାନ ଉଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ୟ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

ପ୍ରଥମ ବିମାନରେ ମିଶନ ଶକ୍ତି ମହିଳାଙ୍କ ସମେତ, ଖେଳାଳି, ନେତା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରିଥିବା ୧୭୦ ଜଣ ବ୍ୟକ୍ତି ଦୁବାଇ ଯାଇଛନ୍ତି । ବିଜେଡିର କିଛି ନେତା ଦୁବାଇ ଯାଇଛନ୍ତି ।  ସେଠାରେ ଏହି ନେତାମାନେ ବିଭିନ୍ନ ସ୍ଥାନରେ ବୁଲିବା ସହ କେମିତି ଏତେ ବିକଶିତ ହୋଇଛି, ଟୁରିଜିମର ଡେଷ୍ଟିନେସନ ପାଲଟିଛି ତାହା ବୁଲି ଦେଖିବେ । ଭୁବନେଶ୍ୱରରୁ ଦୁବାଇ ପହଁଚିବା ପାଇଁ ୪ ଘଂଟା ସମୟ ଲାଗିବ। ସନ୍ଧ୍ୟା ୬.୩୦ଟାରେ ବାହାରି ରାତି ୧୦.୩୦ଟାରେ ପହଂଚିବ ।ଏହାସହ ନିଜସ୍ୱ ଉଦ୍ୟମରେ ବିଦେଶକୁ ସିଧାସଳଖ ଉଡାଣ ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ଏଥିପାଇଁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେଇଛନ୍ତି । ପ୍ରଥମ ବିମାନରେ ଉଡିଥିବାରୁ ଯାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି । ପର୍ୟ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଶୁଭେଚ୍ଛା କେକ୍ କଟାଯାଇଥିଲା ।

Leave a Reply

Your email address will not be published.