ବୌଦ୍ଧ,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ବଘିଆପଡା ଫାଣ୍ଡି ଡଙ୍କଣି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ରଖାଯାଇଥିବା ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ କରିଛି ବୌଦ୍ଧ ପୋଲିସ । ସୂଚନା ଅନୁଯାୟୀ ଡଙ୍କଣି ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଥାନା ପକ୍ଷରୁ ଜଙ୍ଗଲରେ ଚଢାଉ କରାଯାଇଥିଲା ।ଚଢ଼ାଉବେଳେ ୨୮କୁଇଂଟାଲ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କା ହେବ । ଏହାରି ଭିତରେ ବୌଦ୍ଧ ଜିଲ୍ଲାର ସର୍ବାଧିକ ୮୭ଟି ଗଞ୍ଜେଇ ମାମଲା ରୁଜୁ ହୋଇଥିବାବେଳେ ୩୪ ଟନ ଗଞ୍ଜେଇ ଜବତ ହୋଇଛି । ସେହିଭଳି ଏହି ସବୁ ମାମଲାରେ ୮୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୮ଟି ଦେଶୀବନ୍ଧୁକ ସହ ଗୋଟିଏ ପିସ୍ତଲ ଜବତ କରିଛି ପୋଲିସ । ୩୦ଟି ବାଇକ, ୬ଟି କାର, ୩ଟି ପିକଅପ, ୨ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ କରିଛି ପୋଲିସ । ଆଗାମୀ ଦିନରେ ପୋଲିସ ପକ୍ଷରୁ ଏହି ଚଢ଼ାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।