Sunday , September 24 2023
Breaking News
Home / ବିଶେଷ / ଡା. ଅନ୍ନପୂର୍ଣ୍ଣା ଦେବୀ ଙ୍କ  ପରଲୋକ

ଡା. ଅନ୍ନପୂର୍ଣ୍ଣା ଦେବୀ ଙ୍କ  ପରଲୋକ

କଟକ, ୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶାର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ (୭୭)ଙ୍କ ହୃଦ୍‌ଘାତରେ କେଶରପୁରସ୍ଥିତ ବାସଭବନରେ ଶନିବାର ପରଲୋକ ଘଟିଛି। ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଠଗଡ଼ ପତଣ୍ଡା ନିବାସୀ କବିରାଜ ଶିକ୍ଷକ ଗୋକୁଳାନନ୍ଦ ଦାଶଙ୍କ କନ୍ୟା ଅନ୍ନପୂର୍ଣ୍ଣା ଦେବୀ ୧୯୪୬ ଫେବୃଆରୀ ୧୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୧୦ ବର୍ଷ ହୋଇଥିଲା ବେଳେ ତାଙ୍କ ମାତାଙ୍କ ବିୟୋଗ ଘଟିଥିଲା। ପିଲାବେଳୁ ମେଧାବୀ ଅନ୍ନପୂର୍ଣ୍ଣା ଦେବୀ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୬୪ରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନାମ ଲେଖାଇ ୧୯୬୯ରେ ଏମବିବିଏସ ପାସ କରିଥିଲେ। ସେ ୭ଟି ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ସର୍ବଭାରତୀୟସ୍ତରରେ ସୁନାମ ଅର୍ଜନ କରିଥିଲେ। ଅନ୍ନପୂର୍ଣ୍ଣା ଦେବୀଙ୍କ ମୃତ୍ୟୁରେ ତାଙ୍କ ସ୍ବାମୀ ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା ମର୍ମାହତ ହୋଇପଡ଼ିଛନ୍ତି। ବିଧାୟକ ମହମ୍ମଦ ମୋକିମ, ମେୟର ସୁବାସ ସିଂହ, ନମିତା ପଣ୍ଡା, ସୁଦୀପ୍ତା ଦାସ, ଡା. ନିରଞ୍ଜନ ତ୍ରିପାଠୀ, ପ୍ରଫେସର ଡା. ଜୟନ୍ତ ପଣ୍ଡା, ଡା. ଦୀପକ ରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଓ ଡ. ପ୍ରମୋଦ ମହାପାତ୍ର, ସୁନୀଲ କୁମାର ବୋଷ, ବିଷ୍ଣୁ ମୋହନ ଦାସ ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ​​‌ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ବିୟୋଗରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ ସମ୍ପାଦକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ଜିଲାପାଳ ଡ. ଭବାନୀ ଶଙ୍କର ଚୟନୀ ଓ ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। କଟକ ସ୍ବର୍ଗଧାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଚିନ୍ମୟ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *