ରାଜ୍ୟରେ ଏଭଳି ଏକାଧିକ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ସ୍ଥାପିତ ହେବା ଦେଶରେ ପ୍ରଥମ
କଟକ ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଖୋଲିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶନିବାର ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଛନ୍ତି । କଟକ ବ୍ୟତୀତ ଏଣିକି ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟର ଜୟପୁର ଏବଂ ସମ୍ବଲପୁରରେ ଜୁଡିସିଆଲ ଏକାଡେମୀ ସ୍ଥାପିତ ହେଲା । କୌଣସି ରାଜ୍ୟରେ ଏଭଳି ଏକାଧିକ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ସ୍ଥାପିତ ହେବା ଦେଶରେ ପ୍ରଥମ ।ଏହି ଏକାଡେମୀ ଜରିଆରେ ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପେପର ଲେସ୍ କୋର୍ଟ, ଭର୍ଚ୍ଚୁଆଲ କୋର୍ଟର ସୁବିଧା ଏଠାରେ ଉପଲବ୍ଧ ହେବ । ଏହା ସହିତ ବିଭିନ୍ନ ମାମଲାର ମେଡିଏସନ, ଆର୍ବିଟ୍ରେସନ କାମ ସହିତ ଜୀବନଚର୍ଯ୍ୟା ଗିରଫ ପିଡୀତାମାନଙ୍କର ସାକ୍ଷ ଗ୍ରହଣ ଆଦି କାର୍ଯ୍ୟ ଏହିସବୁ ଆଞ୍ଚଳିକ ଏକାଡେମୀ ଜରିଆରେ ହୋଇପାରିବ । ପୂର୍ବରୁ କେବଳ କଟକରେ ରାଜ୍ୟର ଏକମାତ୍ର ଜୁଡିସିଆଲ ଏକାଡେମୀ ଥିଲା । କିନ୍ତୁ ଏବେ ଏକାଧିକ ଆଞ୍ଚଳିତ ଏକାଡେମୀ ସ୍ଥାପିତ ହେବା ଦ୍ବାରା ବିଚାର ବ୍ୟବସ୍ଥାରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଶନିବାର ଉଦଘାଟନୀ ପର୍ବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍. ମୁରଲିଧରଙ୍କ ସମେତ ବହୁ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀମାନେ ଯୋଗ ଦେଇଥିଲେ ।